ଉଦ୍ଧବଙ୍କୁ ଝଟକା, କାଲି ହେବ ଫ୍ଲୋର୍‌ ଟେଷ୍ଟ୍‌

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାରଙ୍କ ବିରୋଧରେ ଆସ୍ଥାଭୋଟ ଅନୁଷ୍ଠିତ ହେବ। ଏନେଇ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ରାୟ ଶୁଣାଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଉଦ୍ଧବ ସରକାରଙ୍କୁ ଏକ ବଡ଼ ଲାଗିଛି। ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ୩୯ ବିଧାୟକଙ୍କ ସମର୍ଥନ ଥିବାବେଳେ ଉଦ୍ଧବଙ୍କ ପାଖରେ ମାତ୍ର ୧୪ ଜଣଙ୍କ ସମର୍ଥନ ରହିଛି। ତେଣୁ ଆସନ୍ତା କାଲି ଉଦ୍ଧବ ସରକାରର ପତନ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ପାଇଁ ଏହା ଏକ ବରଦାନ ସଦୃଶ ହୋଇଛି। ମଙ୍ଗଳବାର ରାତିରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ଆସନ୍ତା ୩୦ ତାରିଖରେ ଆସ୍ଥାଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ଚିଫ୍‌ ହ୍ବିପ୍ ( ଶାସକ ଦଳର ମୁଖ୍ୟ ସଚେତକ) ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।