ନୂଆଦିଲ୍ଲୀ,ଏଜେନ୍ସି: ଫିନ୍ଟେକ୍ କମ୍ପାନୀ ପେ’ଟିଏମ୍କୁ ଲାଗିଛି ଝଟକା। ସେନ୍ସେକ୍ସରେ ତାଲିକାଭୁକ୍ତ ହେବା ପରଠାରୁ ଚାପରେ ରହି ଶେୟାର୍ସରେ ଦ୍ରୁତ ହ୍ରାସ ଘଟିବା ଯୋଗୁଁ କମ୍ପାନୀର ପ୍ରତିଷ୍ଠା ଉପରେ ଆଞ୍ଚ୍ ଆଣିଥିଲା। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ପେ’ଟିଏମ୍ ବ୍ୟାଙ୍କ୍ ପ୍ଲାଟଫର୍ମରେ ନୂଆ ଗ୍ରାହକ ଯୋଡ଼ିବା ଉପରେ ତୁରନ୍ତ ରୋକ୍ ଲାଗୁ କରିବାକୁ ପେ’ଟିଏମ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପେ’ଟିଏମ୍ ପ୍ଲାଟ୍ଫର୍ମର ଆଇଟି ସିଷ୍ଟମ୍ର ଅଡ଼ିଟ୍ କରିବାକୁ ଏକ ଆଇଟି ଫାର୍ମ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଆର୍ବିଆଇ।
କମ୍ପାନୀର ଆଇଟି ଭିତ୍ତିଭୂମିରେ ଅର୍ଥାତ୍ କମ୍ପାନୀର ବ୍ୟାଙ୍କିଙ୍ଗ୍ ସଫ୍ଟୱେୟାର୍ କେତେ ଗ୍ରାହକଙ୍କ ବୋଝ ଉଠାଇବାରେ ସକ୍ଷମ? ଏଥିରେ କ’ଣ କ’ଣ ସମସ୍ୟା ରହିଛି, ଆଗକୁ କି ପ୍ରକାରର ସମସ୍ୟା ଆସିବ ସେ ନେଇ ଯାଞ୍ଚ୍ ଜରୁରୀ ବୋଲି କହିଛି ଆର୍ବିଆଇ। ଏଥିସହିତ ପେ’ଟିଏମ୍ ପେମେଣ୍ଟ୍ ବ୍ୟାଙ୍କ୍ ନୂଆ ଗ୍ରାହକ ଯୋଡ଼ିବା ପାଇଁ ଆର୍ବିଆଇରୁ ପ୍ରାକ୍ ଅନୁମତି ନେବାକୁ ପଡ଼ିବ।
ଅପରପକ୍ଷରେ ଆର୍ବିଆଇ ଆଇଟି ଫାର୍ମ ଦ୍ୱାରା ଅଡିଟ୍ ରିପୋର୍ଟ ସମୀକ୍ଷା କରିବା ପରେ ହିଁ ଏ ନେଇ ଅନୁମତି ଦେବାକୁ ବିଚାର କରିବ। ସୂଚନାଯୋଗ୍ୟ ଯେ ପେ’ଟିଏମ୍ ପେମେଣ୍ଟ୍ ବ୍ୟାଙ୍କ୍ର ଆରମ୍ଭ ମେ’ ୨୦୧୭ରେ ହୋଇଥିଲା। କମ୍ପାନୀ ଚଳିତ ମାର୍ଚ୍ଚରେ ହିଁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ (ଏସ୍ଏଫ୍ଏମ୍) ଲାଇସେନ୍ସ ପାଇଁ ଆବେଦନ କରିବା ଯୋଜନା କରିଥିଲା। ଏହା ପୂର୍ବରୁ ଆର୍ବିଆଇର ଏହି ନିଷ୍ପତ୍ତି କମ୍ପାନୀ ପାଇଁ ଜବର୍ଦସ୍ତ ଝଟ୍କା ବୋଲି କୁହାଯାଉଛି। ପେ’ଟିଏମ୍ ପେମେଣ୍ଟ୍ ବ୍ୟାଙ୍କ୍ର ମାର୍ଚ୍ଚ ୨୦୨୧ ସୁଦ୍ଧା ପାଖାପାଖି ୬୪ ନିୟୁତ ଖାତାଧାରକ ରହିଛନ୍ତି। ମୋଟ ଜମାରାଶି ୫,୨୦୦ କୋଟି ରହିଛି।