ଅମୃତସରରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ: ଶିବସେନା ନେତା ସୁଧୀର ସୁରୀଙ୍କୁ ପଞ୍ଜାବର ଅମୃତସରରେ ଗୁଳି ମାରି ହତ୍ୟା କରାଯାଇଛି । ଏହି ଘଟଣାଟି ଅମୃତସରର ମଜୀଠା ରୋଡରେ ଗୋପାଳ ମନ୍ଦିର ବାହାରେ ଘଟିଛି । ଘଟଣା ପରେ ସୁରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲା କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁଧୀରଙ୍କୁ ୨ଜଣ ଆକ୍ରମଣ କରିଥିବାବେଳେ ପୁଲିସ ଜଣକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ହେଲେ ସନ୍ଦୀପ ଯାହାଙ୍କଠାରୁ ପୁଲିସ ଲାଇସେନ୍ସଯୁକ୍ତ ବନ୍ଧୁକ ଜବତ କରିଛି ।

ସୂଚନାଯୋଗ୍ୟ, ମୃତ ସୁଧୀର ସୁରୀ ଗୋପାଳ ମନ୍ଦିର ବାହାରେ ଅଳିଆକୁ ନେଇ ଧାରଣା ଦେଉଥିଲେ । ଏହି ସମୟରେ ଆକ୍ରମଣକାରୀ ଆସି ତାଙ୍କ ଉପରେ ଗୁଳି ଚଳାଇଥିଲେ । ସୁଧୀରଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ସମର୍ଥକ ଆକ୍ରୋଶରେ ମନ୍ଦିର ଆଖପାଖରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ପୁଲିସ ପ୍ରଶାସନ ବିରୋଧରେ ମଧ୍ୟ ନାରା ଲଗାଇଥିଲେ ।