ଆଙ୍କରା,ଏଜେନ୍ସି: ତୁର୍କୀର ଏକ ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ତେବେ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ୟାସ ଲିକ ଯୋଗୁଁ ବିସ୍ଫୋରଣ ହୋଇଥାଇ ପାରେ ବୋଲି କୁହାଯାଇଛି । ଏନେଇ ଗତକାଲି(ଶୁକ୍ରବାର) ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଅନୁସାରେ, ଶୁକ୍ରବାର ଦିନ ପଶ୍ଚିମ ତୁର୍କୀର ଏକ ରେସ୍ତୋରାଁରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଲୋକେ କିଛି କରିବା ଆଗରୁ ସବୁ ଓଲଟପାଲଟ ହୋଇଯାଇଥିଲା । ୭ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏନେଇ ଆୟଦିନ ପ୍ରାନ୍ତର ଗଭର୍ଣ୍ଣର କହିଛନ୍ତି,”ଏହି ବିସ୍ପୋରଣରେ ୫ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି ।” ସ୍ଥାନୀୟ ସରକାରୀ କର୍ମଚାରୀ ହୁସେନ ଓକୋସୀ କହିଛନ୍ତି,” ଘରୋଇ ଗ୍ୟାସ ଲିକରୁ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଅପରାହ୍ନ ୩.୩୫ ମିନିଟରେ ଏହି ବିସ୍ଫୋରଣ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତଦନ୍ତ ଜାରି ରହିଛି ।” ଜଷ୍ଟିସ୍ ବକିର ବୋଜଡାଗ ଟ୍ୱିଟ୍ କରି କହିଛନ୍ତି,” ଏହି ବିସ୍ଫୋରଣରେ ଜଣକୁ ଅଟକ ରଖାଯାଇଛି । ସନ୍ଦେହରେ ପଚରାଉଚରା ଜାରି ରହିଛି ।”