ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌ରେ ପୁଣି କିଟ୍‌ର ସଫଳତା, ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ କିଟ୍‌

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌ରେ ପୁଣି କିଟ୍‌ର ସଫଳତା। କିଟ୍‌ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁନଶ୍ଚ ସଫଳତା ହାସଲ କରିଛି। ମଙ୍ଗଳବାର ଟାଇମ୍‌ସ ହାଇଅର ଏଜୁକେସନ୍‌ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ଶ୍ରେଷ୍ଠ ୟଙ୍ଗ ୟୁନିଭରସିଟି ତାଲିକା। ୫୦ବର୍ଷରୁ କମ୍‌ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱର ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାଇଅର ଏଜୁକେସନ୍‌ ପକ୍ଷରୁ ପ୍ରତିବର୍ଷ ରାଙ୍କିଙ୍ଗ କରାଯାଇଆସୁଛି। ୨୦୨୨ ବର୍ଷ ପାଇଁ ଟାଇମ୍‌ସ ହାଇଅର ଏଜୁକେସନ୍‌ ପକ୍ଷରୁ କରାଯାଇଥିବା ଏହି ରାଙ୍କିଙ୍ଗ୍‌ରେ କିଟ୍‌ ବିଶ୍ୱବିଦ୍ୟାଳୟ ୨୫୧+ ସ୍ଥାନରେ ରହି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛି।

ଏହା ସହ କିଟ୍‌ ଭାରତର ଅନେକ ଲବ୍ଧ ପ୍ରତିଷ୍ଠିତ ଡିମ୍‌ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ସ୍ଥାନ ଅଧିକାର କରିବା ସହ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ ରହିଛି। ୨୦୨୧ରେ କିଟ୍‌ ବିଶ୍ୱବିଦ୍ୟାଳୟ ଟାଇମ୍‌ ହାଇଅର ଏଜୁକେସନ୍‌ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ୟଙ୍ଗ ୟୁନିଭରସିଟି ତାଲିକାର ୩୦୧+ ସ୍ଥାନରେ ରହିଥିଲା।

ଟାଇମ୍‌ସ ହାଇଅର ଏଜୁକେସନ୍‌ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ଔଦ୍ୟୋଗିକ ଉତ୍ପାଦନ ଆଦି ୫ଟି ମାନଦଣ୍ଡକୁ ବିଚାରକୁ ନେଇ ଏହି ରାଙ୍କିଙ୍ଗ କରାଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ୨୫ବର୍ଷର ଅନୁଷ୍ଠାନ। ଖୁବ୍‌ କମ୍‌ ସମୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା, ଶୈକ୍ଷିକ ପରିବେଶ, ଛାତ୍ର ଓ କର୍ମଚାରୀ ଅନୁକୂଳ ପରିବେଶ ଏବଂ ବିଶେଷ କରି ଅନ୍ତର୍ଜାତିୟ ଦୃଷ୍ଟିଭଙ୍ଗୀ ଯୋଗୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏଭଳି ସମ୍ମାନ ମିଳିପାରୁଛି ବୋଲି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି।

ଏହି ସଫଳତା ପାଇଁ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ କିଟ୍‌ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀଙ୍କ ସହଯୋଗ ଓ ନିଷ୍ଠା ଯୋଗୁ ଏହି ସଫଳତା ମିଳିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ଡକ୍ଟର ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ କିଟ୍‌ ବିଶ୍ୱବିଦ୍ୟାଳୟ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିପାରୁଛି ବୋଲି କହିଛନ୍ତି।