- ନୂଆଦିଲ୍ଲୀ: ଏଣିକି ଝିଅମାନେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ପରୀକ୍ଷା ପ୍ରାବେଶିକ ଦେଇପାରିବେ। ଏ ନେଇ ଏକ ଆବଦେନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଆବେଦନରେ ଝିଅଙ୍କୁ ଏନଡିଏର ପ୍ରାବେଶିକ ପରିକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରିବା ଲାଗି ନିବେଦନ କରାଯାଇଥିଲା। ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ। ଆବେଦକ ନିଜ ଅପିଲରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅବିବାହିତ ପୁରୁଷ ପ୍ରାର୍ଥୀ ଏନଡିଏ ପାଇଁ ଆବେଦନ କରିପାରିବେ। କିନ୍ତୁ ଇଛୁକ ମହିଳାଙ୍କୁ କେବଳ ଲିଙ୍ଗଗତ ଆଧାରରେ ଅନୁମତି ନଦେବା ସମ୍ବିଧାନର ସମାନତା ଭାବନାର ବିରୋଧାଚରଣ କରୁଛି।
ଅଦାଲତରେ ଆବେଦକ ଯୁକ୍ତି ରଖିଥିଲେ ଯେ, କେବଳ ଲିଙ୍ଗଗତ ଆଧାରରେ ଇଛୁକ ମହିଳାଙ୍କୁ ଏହି ପରୀକ୍ଷା ଦେବାକୁ ଦିଆଯାଉନାହିଁ। ଯାହା ଠିକ୍ ନୁହେଁ। ଏହି କାରଣରୁ ମହିଳା ଏନଡିଏରେ ସାମିଲ ହୋଇ ପାରୁନାହାଁନ୍ତି। ଅନ୍ୟପକ୍ଷରେ ସମାନ ଶିକ୍ଷା ସହ ପୁରୁଷ ପ୍ରାର୍ଥୀ ଏନଡିଏରେ ସାମିଲ ହୋଇପାରୁଛନ୍ତି।
ଖବର ଅନୁଯାୟୀ, ନାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇ ନଥିଲା। ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ ଏନଡିଏରେ ଯୋଗଦେବାକୁ ଅନୁମତି ପାଇଛନ୍ତି। ମହିଳା ପ୍ରାର୍ଥୀଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଅନୁମତିର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ରେ ହେବାକୁ ଥିବା ନାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଝିଅମାନେ ସାମିଲ ହେବାକୁ ଅନୁମତି ପ୍ରଦାନ କରାଯାଇଛି।