ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକକ ବ୍ୟବସ୍ଥା ଲାଗୁ ହେବା ପରେ ଖୁବ ଶୀଘ୍ର ଏହା ବିଦ୍ୟାଳୟସ୍ତରରେ ଆରମ୍ଭ ହେବାକୁ ଯାଉଛି। ଦଶମ ବୋର୍ଡ ପରୀକ୍ଷାରେ ଯେପରି ଏକକ ପ୍ରଶ୍ନପତ୍ର ପ୍ରସ୍ତୁତି ହେଉଛି ସେହିପରି ବ୍ୟବସ୍ଥା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରାଯିବ। ଆସନ୍ତା ଶିକ୍ଷାବର୍ଷର ରାଜ୍ୟର ସବୁ ସରକାରୀ ସ୍କୁଲଗୁଡିକରେ ଏକକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବା ସହ ଏହି ପ୍ରଶ୍ନପତ୍ର ପ୍ରସ୍ତୁତି କାର୍ଯ୍ୟ ଏସସିଇଆରଟି ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିବା ବେଳେ ଏଭଳି ଏକକ ପ୍ରଶ୍ନପତ୍ର ବ୍ୟବସ୍ଥାକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ସବୁ ସରକାରୀ ସ୍କୁଲରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ଜଣାପଡ଼ିବ। ଏହାବ୍ୟତୀତ କିଛି ସ୍କୁଲରେ ପରୀକ୍ଷାର ମାର୍କରେ ପ୍ରିୟାପ୍ରିତି ହେଉଥିବାର ଯେଉଁ ଅଭିଯୋଗ ହେଉଥିଲା ତାହାର ସମାଧାନ ହୋଇପାରିବ ବୋଲି ଆଶା ରହିଛି।