ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମଙ୍ଗଳବାର ରାଜ୍ୟରେ ପାରଦ ୩୯ ଡିଗ୍ରୀ ଟପିଛି। ସର୍ବାଧିକ ୩୯.୩ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ପୁଣି ଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଚିନ୍ତାର ବିଷୟ ଯେ, ଆସନ୍ତାକାଲି ମଧ୍ୟ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିବାକୁ ଆକଳନ କରାଯାଇଛି। ଭୁବନେଶ୍ୱରର ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ଓ ଗୁଳୁଗୁଳି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୂତବାକ, ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବା ସହ ଖରାଟିଆ ରହିବ। ଦିନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ ବଢ଼ିବାକୁ ଥିବାବେଳେ ମୁଖ୍ୟତଃ ଆକାଶ ମେଘମୁକ୍ତ ରହିବ। ହେଲେ ଚଳିତ ସପ୍ତାହ ଶେଷ ଅର୍ଥାତ୍ ୨୧ ତାରିଖରେ ରାଜ୍ୟରେ ବଷାଁ ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୮ ଜିଲ୍ଲାକୁ ସତର୍କ କରାଯାଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।
ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା ଯଥା ମାଲକାନାଗିରିରୁ ସୋନପୁର, କେନ୍ଦ୍ରୀୟ ଓଡ଼ିଶା ତଥା ଢ଼େଙ୍କାନାଳରୁ ବୌଦ୍ଧରେ ପାରଦ ସ୍ୱାଭାବିକ ଠାରୁ ୪ ଡିଗ୍ରୀ ଯାଏ ଅଧିକ ରହିଥିବା ରେକର୍ଡ ହୋଇଛି। ୩୮.୭ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହ ହୋଇଥିବାବେଳେ ଟିଟଲାଗଡ଼, ନୟାଗଡ଼, ବୌଦ୍ଧ, ମାଲାନାଗିରିରେ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ ହୋଇଛି। ବତ୍ତର୍ମାନ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଉତ୍ତର ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାତି ଆହୁରି ବୃଦ୍ଧିପାଇବ। ଆସନ୍ତା ୨୪ରୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶ୍ରୀ ପଶୁପାଳକ ପ୍ରକାଶ କରିଛନ୍ତି।