ଶ୍ରୀନଗର,ଏଜେନ୍ସି: ବିଚ୍ଛିନ୍ନତାବାଦୀ ହୁର୍ରିୟନ ନେତା ସୟଦ ଅଲୀ ଗିଲାନୀ ଆଉ ନାହାନ୍ତି। ୯୨ ବର୍ଷ ବୟସରେ ଶ୍ରୀନଗରରେ ବୁଧବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ପରଲୋକରେ ନେତାମାନେ ଶୋକ ଏବଂ ସମବେଦନା ଜଣାଇଛନ୍ତି। ଅନ୍ୟପଟେ କଶ୍ମୀର ଘାଟୀରେ ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ପରଲୋକ କାରଣରୁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି ଯେ, କଶ୍ମୀରରେ ଇଣ୍ଟରନେଟ ସେବା ବାଧିତ ହୋଇଛି।
ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଟୁଇଟ୍ କରି ଶୋକ ଜଣାଇଛନ୍ତି। ସେ ନିଜର ଟୁଇଟରେ ଲେଖିଛନ୍ତି ଯେ, ଗିଲାନୀଙ୍କ ପରଲୋକ ଖବରରେ ଦୁଃଖ ପ୍ରକାଶକରୁଛି। ଆମେ ଅଧିକ କଥାରେ ସହମତ ହୋଇପାରିବା ନାହିଁ। କିନ୍ତୁ ମୁଁ ତାଙ୍କର ଦୃଢ଼ତା ଏବଂ ବିଶ୍ୱାସ ସହିତ ଛିଡ଼ା ହେବା ଲାଗି ତାଙ୍କର ସମ୍ମାନ କରେ। ତାଙ୍କ ପରିବାରକୁ ଦୁଃଖ ସହିବାର ଶକ୍ତି ମିଳୁ।
ସୟଦ ଶାହ ଅଲୀ ଗିଲାନୀ ୧୯୨୧ ମସିହା ସେପ୍ଟେମ୍ବର ୨୯ ତାରିଖରେ ବାରାମୂଲା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଗିଲାନୀ ପ୍ରଥମେ ଜମାତ-ଏ-ଇସଲାମୀ କଶ୍ମୀରର ସଦସ୍ୟ ଥିଲେ। ପରେ ସେ ତହରୀ-ଏ-ହୁର୍ରିୟତ ନାମରେ ନିଜର ପାର୍ଟି ଗଠନ କରିଥିଲେ। ଗିଲାନୀ ସୋପୋର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଥିଲେ।