ଭୁବନେଶ୍ୱରରେ ଜିରୋ ନାଇଟ୍ ସେଲିବ୍ରେସନକୁ ନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ମାର୍ଚ୍ଚ ମାସରୁ ସାରା ବିଶ୍ୱରେ କରୋନା ଭୂତାଣୁ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ଏହା ନିୟନ୍ତ୍ରଣକୁ ଆସିଛି। ହେଲେ ଏ ପର୍ଯ୍ୟନ୍ତ ଭୂତାଣୁ ସମ୍ପୂର୍ଣ୍ଣ ଭାବେ ଲୋପ ପାଇନାହିିଁ। ଏନେଇ କେତେକ ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି ମଧ୍ୟରେ ଆଗକୁ ନୂଆବର୍ଷ ଆସୁଛି। ଫଳରେ ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, କ୍ଲବ, କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ଜନସମାଗମ ଉପରେ ବିଏମସି ପକ୍ଷରୁ ରୋକ ଲଗାଯାଇଛି। ଏନେଇ ବିଏମସି କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ହୋଟେଲ୍ ବା କ୍ଲବକୁ ନ ଯାଇ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଡିସେମ୍ବର ୩୧ ଜିରୋନାଇଟ ଓ ଜାନୁଆରୀ ୧ ନୂଆବର୍ଷରେ କଟକ- ଭୁବନେଶ୍ୱର ଦ୍ୱୈତ ନଗରୀରେ ପୁଲିସ ପହରା ମାରିବ। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯିବା ସହ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।