ଗୋସାଭି ଏବଂ ସାମଙ୍କ ସହ ଡିଲ୍ କରିବାକୁ ଲୋୟର ପାରେଲକୁ ଯାଇଥିଲେ ଶାହାରୁଖଙ୍କ ମ୍ୟାନେଜର

ମୁମ୍ବାଇ,ଏଜେନ୍ସି: ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଆସୁଛି। ଏବେ ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାର ଅନୁସନ୍ଧାନ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଲୋୟର ପାରେଲରେ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କ ସିସିଟିଭି ଫୁଟେଜ ପାଇଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଗୋସାଭି ଏବଂ ସାମ୍ ଡି’ସୁଜା ସେହି ଅଞ୍ଚଳରେ ଶାହରୁଖଙ୍କ ମ୍ୟାନେଜର ପୂଜାଙ୍କୁ ଭେଟିଥିଲେ ଏବଂ ୧୮ କୋଟି ଟଙ୍କା ମୂଲ୍ୟର ଚୁକ୍ତି ହୋଇଥିଲା।

କ୍ରୁଜ୍ ମାମଲାର ସାକ୍ଷୀ ପ୍ରଭାକର ଅଭିଯୋଗ କରିଛନ୍ତି ଯେ ଆର୍ଯ୍ୟନଙ୍କୁ ମୁକ୍ତ କରିବାକୁ ୨୫ କୋଟି ଟଙ୍କା ଦାବି କରାଯାଇଥିଲା। ସେଥିମଧ୍ୟରୁ ଆଠ କୋଟି ସମୀର ୱାଙ୍ଖଡେଙ୍କୁ ଦିଆଯିବାର ଥିଲା। ବର୍ତ୍ତମାନ ଏହି ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏହି ମାମଲାରେ ଅନ୍ୟ ଜଣେ ସାକ୍ଷୀ କିରଣ ଗୋସାଭିଙ୍କ ଅସୁବିଧା ବଢିବାକୁ ଯାଉଛି।

ଆର୍ଯ୍ୟନ୍ ଖାନ ଡ୍ରଗ୍ ମାମଲାର ତଦନ୍ତରେ ସମ୍ପୃକ୍ତ ପୋଲିସ ନିଶ୍ଚିତ କରିଛି ଯେ ପୂଜା ଦଦଲାନୀଙ୍କ କାର ଲୋୟର ପାରେଲରେ ଦେଖାଯାଇଥିଲା, କିନ୍ତୁ ଫୁଟେଜରେ ଦେଖାଯାଉଥିବା ମହିଳା ଜଣଙ୍କ ପୂଜା ଦଦଲାନୀ କି ନୁହଁନ୍ତି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ପୁରୁଣା ଠକେଇ ମାମଲାରେ ପୁଣେ ପୋଲିସର ହେପାଜତରେ ଥିବା ଗୋସାଭିଙ୍କ ବିରୋଧରେ ପୋଲିସ ଏକ ମାମଲା ପଞ୍ଜୀକୃତ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗୋସାଭି ପୂଜାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ତାଙ୍କୁ ୨୫ କୋଟି ଟଙ୍କା ମିଳିବ, ତେବେ ସେ ଆର୍ଯ୍ୟନ୍ ଖାନଙ୍କୁ ଏହି ଡ୍ରଗ୍ସ ମାମଲାରୁ ବାହାର କରିବେ। ଏଥି ସହିତ, ଗୋସାଭି ଏହି ପୁରା ମାମଲାରେ ନିଜକୁ ଏନସିବି ଅଧିକାରୀ ବୋଲି ବର୍ଣ୍ଣନା କରିଛନ୍ତି କି ନାହିଁ ପୋଲିସ ମଧ୍ୟ ଅନୁସନ୍ଧାନ କରୁଛି। ପୋଲିସ ଖୁବ ଶୀଘ୍ର ଏହି ମାମଲାରେ ପୂଜା ଦଦଲାନୀଙ୍କ ବିବୃତ୍ତି ରେକର୍ଡ କରିପାରେ।