ସାରୁଅ ଜମି ଜାଲିଆତି ଅଭିଯୋଗ ମାମଲା: ଜାଗି ଓ ବୈଜୟନ୍ତଙ୍କ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କଲେ ହାଇକୋର୍ଟ

କଟକ,ଏନ୍ଏନ୍ଏସ୍: ସାରୁଅ ଜମି ଜାଲିଆତି ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖାରେ ରୁଜୁ ମାମଲାକୁ ରଦ୍ଦ କରିବା ପାଇଁ ଓଡ଼ିଶା ଇନଫ୍ରାଟେକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରିଛନ୍ତି । ଗତ ୧୩ ତାରିଖରେ ଏହି ମାମଲାରେ ହାଇକୋର୍ଟ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିବା ସହ ମାମଲାର ଶୁଣାଣିକୁ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ପ୍ରକାଶିତ ରାୟରେ ଜାଗି ଓ ବୈଜୟନ୍ତଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରିଛନ୍ତି। ସେହିପରି ଜମି ଜାଲିଆତି ମାମଲାରେ ସେମାନଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ରଦ୍ଦ କରିବାକୁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଖୋର୍ଦ୍ଧାର ସାରୁଅ ଜମି ଜାଲିଆତି ସମ୍ପର୍କରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରୁଛି। ତଦନ୍ତବେଳେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡର ସହାୟକ ଓଟିଭି କମ୍ପାନୀ ସାରୁଅର ଅନୁସୂଚିତ ଜାତିର ଜମିକୁ ଜାଲିଆତି କରି ୨୦୧୦ ଜୁନରୁ ୨୦୧୩ ଜୁନ୍ ମଧ୍ୟରେ କ୍ରୟ କରିଛି ବୋଲି ଜାଣିବାକୁ ପାଇଛି।

ସୂଚନା ଥାଉକି କ୍ରାଇମବ୍ରାଞ୍ଚର ଅର୍ଥନେତିକ ଶାଖାର ମାମଲାକୁ ବିରୋଧ କରି ଓଡ଼ିଶା ଇନଫ୍ରାଟେକ ଓ ଏହାର ପ୍ରମୋଟରମାନେ ମାମଲା ରୁଜୁ କରିଥିଲେ। ଉପରୋକ୍ତ ଠକେଇ ମାମଲାରେ ଯଦିଓ ସେମାନେ ଅଭିଯୁକ୍ତ ନୁହଁନ୍ତି ତଥାପି ନିଜର ଗିରଫଦାରୀ ଆଶଙ୍କା କରି ଏହାକୁ ଏଡାଇବା ପାଇଁ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଏକ ସିଆରଏଲଏମସି ଆବେଦନ କରାଯାଇଥିଲା। ପୂର୍ବରୁ ଏହାର ଶୁଣାଣି କରି ହାଇକୋର୍ଟ ସେମାନଙ୍କୁ ଗିରଫ କରାଯାଇପାରିବ ନାହିିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଉଭୟେ ଆବେଦନ କରିଥିଲେ। ଉକ୍ତ ମାମଲାରେ ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ କହିଥିଲେ। ସେହିପରି ଇଓଡବ୍ଲ୍ୟ ମାମଲାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମଟେଡ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।