ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ : ପଢନ୍ତୁ କେଉଁ ବିଭାଗକୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ଓ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଅତିରିକ୍ତ ବଜେଟରେ ରହିଥିବା କାର୍ଯ୍ୟକ୍ରମ ଖର୍ଚ୍ଚ ୭,୪୩୮ କୋଟି ଟଙ୍କା ମଧ୍ୟରୁ ସରକାର ସାମାଜିକ କ୍ଷେତ୍ର ଓ ଅର୍ଥନୈତିକ କ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି। ଏଥିରୁ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗକୁ ସର୍ବାଧିକ ୨୦୪୧ କୋଟି ଟଙ୍କା ବା ୨୭.୪ ପ୍ରତିଶତ ବଜେଟ ଅର୍ଥ ବ୍ୟୟବରାଦ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୬୨୭ କୋଟି ଟଙ୍କା ବା ୨୧.୮ ପ୍ରତିଶତ ଅର୍ଥ ଦିଆଯାଇଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୧୦୭୭ କୋଟି ଟଙ୍କା ବା ୧୪.୫ ପ୍ରତିଶତ ବଜେଟ ଅର୍ଥ ପ୍ରଦାନ କରାଯାଇଛି। ସେହିପରି ଶକ୍ତି ବିଭାଗକୁ ୯୫୭ କୋଟି (୧୨.୮ ପ୍ରତିଶତ) ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୪୫୭ କୋଟି (୬.୧ ପ୍ରତିଶତ)ବଜେଟ ଅର୍ଥ ବ୍ୟୟବରାଦ କରାଯାଇଛି। ଅତିରିକ୍ତ ବଜେଟରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଯେଉଁ ୧୪୮୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି, ତାହା କେନ୍ଦ୍ରୀୟ ସହାୟତାକୁ ଦୃଷ୍ଟିରେ ରଖି କରାଯାଇଛି।

ଉଭୟ ଏନଡିଆରଏଫ ଏବଂ ଏସଡିଆରଏଫ ଅର୍ଥକୁ ହିସାବକୁ ନିଆଯାଇଛି। ଅତିରିକ୍ତ ବଜେଟରେ ଅଣକାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୩୭୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୨୨୭୩ କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪ କୋଟି ଟଙ୍କା ଓ ସ୍ୱାୟତ୍ତ ସଂସ୍ଥାକୁ ହସ୍ତାନ୍ତର ଲାଗି ୫ କୋଟି ଟଙ୍କା ରହିଛି। ପ୍ରଶାସନିକ ଖର୍ଚ୍ଚରେ କାମ୍ପା ପାଣ୍ଠିରୁ ଅଣାଯାଇଥିବା ୧୯୧୩ କୋଟି ଟଙ୍କା ଋଣ ପରିଶୋଧ ଲାଗି ରଖାଯାଇଥିବାବେଳେ ମେଡ଼ିକାଲ କଲେଜର ଖର୍ଚ୍ଚ ଓ ଦରମା ପାଇଁ ୧୪୨ କୋଟି, ଉଚ୍ଚଶିକ୍ଷା ଅନୁଷ୍ଠାନର ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ଲାଗି ୮୦ କୋଟି, ଓଡ଼ିଶା ଉଠାଜଳସେଚନ ନିଗମ ଲାଗି ୨୨ କୋଟି, ଶ୍ରୀଜଗନ୍ନାଥ ମନ୍ଦିରକୁ କୋଭିଡ଼ ସହାୟତା ପାଇଁ ୪୦ କୋଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ୩୭ କୋଟି ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପାଇଁ ୨୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଭିତ୍ତିଭୂମି କ୍ଷେତ୍ରରେ ସରକାର ୧୬୦୩ କୋଟି ଟଙ୍କା ରଖିଛନ୍ତି। ଓଡ଼ିଶା ରାଜ୍ୟ ଜାତୀୟ ରାଜପଥ ବିକାଶ ପାଣ୍ଠିକୁ ୧୫୦ କୋଟି, ମାଓ ଉପଦ୍ରୁତ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୨୦ କୋଟି, ଓପିଟିସିଏଲକୁ ଅଂଶଧନ ବାବଦରେ ୬୪୭ କୋଟି, ସମନ୍ୱିତ ଶକ୍ତି ବିକାଶ ଯୋଜନାରେ ୭୪ କୋଟି, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ସରକାରୀ କାର୍ଯ୍ୟାଳୟର ପୁନଃ ନିର୍ମାଣ ପାଇଁ ୨୬ କୋଟି ଟଙ୍କା ଅତିରିକ୍ତ ବଜେଟରେ ପ୍ରଦାନ କରାଯାଇଛି।