ପରୀ ହତ୍ୟା ଘଟଣାରେ ସରୋଜ ସେଠୀ ମୁଖ୍ୟ ଅଭୁଯୁକ୍ତ : ବୋଥ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ର ଯଦୁପୁର ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ବଡ଼ ଖୁଲାସା କରିଛନ୍ତି। ଦୀର୍ଘ ସମୟ ଧରି ସମାମ୍ବାଦିକ ସମ୍ମିଳନୀ କରି ଶ୍ରୀଯୁକ୍ତ ବୋଥ୍ରା ଘଟଣା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ଉକ୍ତ ଘଟଣାରେ ସରୋଜ ସେଠୀ ନାମକ ଯୁବକ ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ସେ କିପରି ଏହି କାଣ୍ଡ ଭିଆଇଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି। ସରୋଜକୁ ଗିରଫ କରାଯାଇଥିବାବେଳେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ତଦନ୍ତ ଚାଲିଛି। ଅଧିକ ପ୍ରମାଣ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖାଯାଉଛି। ଘଟଣାର କୌଣସି ଆଇ ୱିଟନେସ ମିଳିନଥିବା ବେଳେ ସାଇଣ୍ଟିଫିକ୍ ପ୍ରମାଣ ଆଧାରରେ ତଦନ୍ତ କରାଯାଇଛି।

ନାବାଳିକ ଘରଠାରୁ ସରୋଜର ଘର ପାଖାପାଖି ୨ଶହ ମିଟର। ସରୋଜର ସାନ ଭଉଣୀ ସହ ନାବାଳିକାର ଭଲ ସମ୍ପର୍କ ଥିଲା। ୧୪ ତାରିଖ ଦିନ ନାବାଳିକା ଏକାକି ଜାମୁକୋଳି ଆଣିବାକୁ ଯାଇଥିବା ସମୟରେ ସରୋଜ ତାକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକା ତାକୁ ଏଥିରେ ବାଧା ଦେବାରୁ ସେ ତଣ୍ଟି ଚିପି ଦେଇଥିଲା। ମୃତ୍ୟୁ ପରେ ନାବାଳିକାର ମୃତଦେହ ସହ ଦୁଷ୍କର୍ମ କରିଥିଲା। ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ଏଭଳି କରିଥିବା ଅଭିଯୁକ୍ତ କହିଛି। ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ବସ୍ତାରେ ଶବ ପୁରାଇଥିଲା। ବସ୍ତାରେ ମୃତଦେହ ଓ ଫ୍ରକ୍ ପୁରାଇ ବସ୍ତାରେ ଫିଙ୍ଗି ଦେଇଥିଲା। ତେବେ ଝିଅଟି ପିନ୍ଧିଥିବା ଲେଗଙ୍ଗିସକୁ ସାଥୀରେ ନେବାକୁ ଭୁଲି ଯାଇଥିଲା। ପରେ ଲେଗଙ୍ଗିସକୁ ନେଇ ପୋଖରୀରେ ଫିଙ୍ଗିଥିବା କହିଛି। ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା। ପର୍ଣ୍ଣୋ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା। ରାତିସାରା ପର୍ଣ୍ଣୋ ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ ଏଭଳି କରିଥିବା ସ୍ୱୀକାର କରିଛି।

ସରୋଜ ସନ୍ଦେହ ଘେରକୁ ଆସିବା ପଛର କାରଣ ମଧ୍ୟ ଶ୍ରୀଯୁକ୍ତ ବୋଥ୍ରା ଉଲ୍ଲେଖ କରିଛନ୍ତି। ତଦନ୍ତ ବେଳେ ଗାଁର ସବୁ ଲୋକଙ୍କ ପ୍ରୋଫାଇଲ ନିଆଯାଇଥିଲା। ସେଦିନ କାହା ଘରେ କିଏ ଥିଲେ ସବୁ ଟିକିନିଖି ଯାଞ୍ଚ କରାଯାଇଥିଲା। ୧୪ ତାରିଖ ଘଟଣା ଦିନ ସମସ୍ତଙ୍କ ଘରେ କେହି ନା କେହି ଥିଲେ। କିନ୍ତୁ ସରୋଜଙ୍କ ଘରେ ଏକା ସରୋଜ ହିଁ ଥିଲା। ଦ୍ୱିତୀୟତଃ ସରୋଜ ମୋବାଇଲରୁ ମଧ୍ୟ ବଡ଼ ସୁରାକ ମିଳିଥିଲା। ତା’ ମୋବାଇଲ ଧରି ଲକ୍ ଖୋଲିବାରୁ ଗୋଟିଏ ପପଅପ୍ ଆସିଲା। ପପଅପରେ ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସମ୍ପର୍କିତ ନ୍ୟୁଜ ଥିଲା। କୌଣସି ଜାଗାରେ ଘଟିଥିବା ଘଟଣାକୁ ସରୋଜ ଦେଖିଥିଲା। ପୂର୍ବରୁ ଦେଖିଥିବାରୁ ମୋବାଇଲ ଅନ୍ କରୁ କରୁ ପପଅପ୍ ଆସିଥିଲା। ସରୋଜକୁ ନାବାଳିକା କଥା ପଚାରିବାରୁ ସେ ପ୍ରମାଣ ମାଗିଥିବା ବୋଥ୍ରା କହିଛନ୍ତି। ଅନ୍ୟପଟେ ଗାଁର ସମସ୍ତେ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ହୋଇଥିବାବେଳେ ସରୋଜ ହୋଇନଥିଲା। ଏସବୁ ସନ୍ଦେହକୁ ଅଧିକ ଘନୀଭୂତ କରିଥିଲା।