ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ବିରୋଧରେ ସମନ ଜାରି

ମୁମ୍ବଇ,ଏଜେନ୍ସି: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୮୦ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କୁ ନାଗପୁର କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି। ତେବେ ଫଡନଭିସଙ୍କ ବିରୋଧରେ ୨ଟି ଆପରାଧିକ ମାମଲା ରହିଥିବା ବେଳେ ସେ ସତ୍ୟପାଠରେ ଏ ନେଇ କୌଣସି ତଥ୍ୟ ଉପସ୍ଥାପନ କରିନଥିବା ଅଭିଯୋଗ ହୋଇଛି।

ନାଗପୁର ସଦର ଥାନାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଫଡନଭିସଙ୍କ ଘରକୁ ସମନ୍‌ ପଠାଯାଇଛି। ଫଡନଭିସ ନାଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ଗତ ନଭେମ୍ବର ୧୧ ତାରିଖରେ କୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଆଇନ୍‌ଜୀବୀ ସତୀଶ ଉକେ କୋର୍ଟରେ ମାମଲା ରୁଜୁ କରି ଫଡନଭିସଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ ଫଡନଭିସଙ୍କ ବିରୋଧରେ ୧୯୯୬ ଏବଂ ୧୯୯୮ରେ ଜାଲିଆତି ଏବଂ ଠକେଇ ମାମଲା ରୁଜୁ ହୋଇଥିଲା। କିନ୍ତୁ ଫଡନଭିସ ଏହି ଦୁଇଟି ମାମଲା ସମ୍ପର୍କରେ ସତ୍ୟପାଠରେ ଦର୍ଶାଇ ନଥିବା ଆଇନ୍‌ଜୀବୀ ପିଟିସନରେ ଦର୍ଶାଇଛନ୍ତି।