୭ ବର୍ଷ ପରେ ଘରକୁ ଫେରିଲା ସାଲୁକା

  • ଖୋର୍ଦ୍ଧା: ୭ ବର୍ଷ ପୂର୍ବେ ଭୁବନେଶ୍ୱର ରେଳଷ୍ଟେସନରୁ ଉଦ୍ଧାର କରାଯାଇଥିବା ସାଲୁକା ସାମ୍ବରୀକୁ ଆଜି ୨୧ ବର୍ଷ । ଦୀର୍ଘ ୭ ବର୍ଷ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପ୍ରଚେଷ୍ଟାରେ ମଙ୍ଗଳବାର ସାଲୁକା ତା’ ବାପା-ମାଙ୍କ ପାଖକୁ ଫେରିଯାଇଛି।
    ସୂଚନା ଅନୁଯାୟୀ, ୨୦୧୪ରେ ସାଲୁକା ସାମ୍ବରୀ କୌଣସି କାରଣରୁ ଘରୁ ପଳେଇଥିଲା। ଏହାପରେ ସେ ପ୍ରଥମେ କୋଲକାତା ଓ ପରେ ଭୁବନେଶ୍ୱରରେ ପହଞ୍ଚିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅପରେସନ ସ୍ମାଇଲ ଅଭିଯାନରେ ସାଲୁକାକୁ ଭୁବନେଶ୍ୱର ରେଳ ଷ୍ଟେଶନରୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ସାଲୁକା ନିଜର ଠିକଣା କହିପାରୁନଥିଲା। ଏହା ପରେ ତାକୁ ଖୋର୍ଦ୍ଧା ଅତିରିକ୍ତ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯାଇଥିଲା । ଏହାପରେ ସମିତିଙ୍କ ନିର୍ଦ୍ଦେଶ ଅନୁସାରେ ସାଲୁକାକୁ ଭୁବନେଶ୍ୱର ଗାଢ଼କଣର ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା। ପ୍ରଶାସନ ପକ୍ଷରୁ ତା’ର ରକ୍ଷଣାବେକ୍ଷଣ ଓ ପାଠପଢ଼ାର ବ୍ୟବସ୍ଥା କରାଯାଇଥିଲା। ଇତିମଧ୍ୟରେ ସାଲୁକା ୮ମ ଶ୍ରେଣୀ ପାସ୍ କରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସାଲୁକାର ଆଧାର କାର୍ଡ ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଧାରକାର୍ଡ଼ ପ୍ରସ୍ତୁତ କରିବା ସମୟରେ ତା’ ଘର ଝାଡ଼ଖଣ୍ଡ ବୋଲି ଜଣାପଡ଼ିଲା। ଏହାପରେ ସାଲୁକାର ଠିକଣା ନେଇ ଅନୁସନ୍ଧାନ କରାଯାଇଥିଲା। ଠିକଣା ଜଣାପଡ଼ିବା ପରେ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନର ଅଧୀକ୍ଷକ ମାନସ ରଥ ସାଲୁକାର ପୈତୃକ ଗାଁ ଲୋଟାପାହାଡ଼ର ପୋଷ୍ଟ ମାଷ୍ଟରଙ୍କ ସହ ଯୋଗାଯୋଗ କରିଥିଲେ। ପୋଷ୍ଟ ମାଷ୍ଟରଙ୍କ ସହାୟତାରେ ସାଲୁକାର ବାପା ସୌମ୍ୟ ସାମ୍ବରୀ ଓ ମା’ ପାଲୋ ସାମ୍ବରୀ ସହ ଭର୍ଚୁଆଲ ସାକ୍ଷାତ କରାଯାଇଥିଲା । ଅନେକ ବର୍ଷ ପରେ ନିଜ ପୁଅକୁ ଦେଖି ସେମାନେ ଭାବବିହ୍ୱଳ ହୋଇଯାଇଥିଲେ। ଏହାପରେ ସାଲୁକାର ବାପା-ମା’ ଖୋର୍ଦ୍ଧାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସାଲୁକାକୁ ହସ୍ତାନ୍ତର କରାଯାଇଛି। ସକୁଶଳେ ତାଙ୍କ ଘରକୁ ଫେରିଥିବାରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାଉନସିଲର ମନସ୍ୱିନୀ ମହାପାତ୍ର, ୟୁନିଟର ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଓ ସୁରକ୍ଷା ଅଧିକାରୀ ରବୀନ୍ଦ୍ରନାଥ ସାହୁଙ୍କୁ ସାଲୁକା ଓ ତା’ ବାପା-ମା’ କୃତଜ୍ଞତା ଜଣାଇଛନ୍ତି।