ସାନିଟାଇଜର ବିକିବେ ଭାଇଜାନ

ମୁମ୍ବାଇ: କରୋନା ଭୂତାଣୁ ଯେଭଳି ଅଧିକ ନ ବ୍ୟାପିବ, ତାହାକୁ ଦୃଷ୍ଟିରେ ରଖି ଦେଶରେ କାର୍ଯ୍ୟକାରୀ ହେଉଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ। ଏଭଳି ଏକ ସମୟରେ ପ୍ରଶଂସକଙ୍କୁ ଗୋଟିଏ ପରେ ଗୋଟିଏ ସରପ୍ରାଇଜ ଦେଇ ଚାଲିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳକୁ ସଲମାନ ପନୱେଲସ୍ଥିତ ଫାର୍ମ ହାଉସରେ ଫସିଥିଲେ। ସେଠାରେ ସେ ତାଙ୍କର ଦୁଇଟି ଗୀତ ରିଲିଜ କରି ପ୍ରଶଂସକଙ୍କୁ ନିଜ ଗାୟକୀ ଦକ୍ଷତା ଦେଖାଇଥିଲେ। ଏହା ସହିତ ଲକଡାଉନ ସମୟରେ ନିଜର ଗ୍ରୁମିଂ ପ୍ରଡକ୍ଟ ଲଞ୍ଚ କରିବା ତାଙ୍କର ଇଚ୍ଛା ଥିଲା। ଫଳସ୍ୱରୂପ ସେ ପ୍ରଥମେ ଡିଓଡ୍ରେଣ୍ଟ ଲଞ୍ଚ କରିବାକୁ ଚାହୁଁଥିଲେ। ମାତ୍ର କରୋନା ଭାଇରସକୁ ଦୃଷ୍ଟିରେ ରଖି ସେ ବର୍ତ୍ତମାନ ସମୟରେ ହ୍ୟାଣ୍ଡ ସାନିଟାଇଜର ବଜାରକୁ ଆଣିଛନ୍ତି। ସୋସିଆଲ ମିଡିଆରେ ଏ ବିଷୟ ଉଲ୍ଲେଖ କରି ସଲମାନ ଲେଖିଛନ୍ତି – ମୁଁ ନିଜର ନୂଆ ଗ୍ରୁମିଂ ତଥା ପର୍ସନାଲ କେୟାର ବ୍ରାଣ୍ଡ ଫ୍ରେସ ଲଞ୍ଚ କରୁଛି। ଏହା ଆପଣଙ୍କର, ମୋର, ଆମ ସମସ୍ତଙ୍କର ବ୍ରାଣ୍ଡ, ଯାହା ଆପଣଙ୍କ ନିକଟରେ ଭଲ ପ୍ରଡକ୍ଟ ପହଞ୍ଚାଇବ। ସାନିଟାଇଜର ଆସିଯାଇଛି, ଯାହା ଆପଣଙ୍କୁ ଏଠି ମିଳିବ… ତା’ ହେଲେ ଟ୍ରାଏ କରନ୍ତୁ।’ ପରିସ୍ଥିତିକୁ ଅନୁଧ୍ୟାନ କରି ସଲମାନ ଏଭଳି ପ୍ରଡକ୍ଟ ବଜାରକୁ ଛାଡ଼ିଛନ୍ତି, ଯାହା ବର୍ତ୍ତମାନ ସମୟରେ ସବୁଠୁ ଅଧିକ ଜରୁରୀ, ବଜାରରେ ଯାହାର ଖୁବ ଚାହିଦା ରହିଛି। ସୂଚନାଯୋଗ୍ୟ, ଇଦରେ ସଲମାନ ଅଭିନୀତ ‘ରାଧେ’ ରିଲିଜ ହେବାର ଥିଲା। ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ’ ସହ ଏହାର ଟକ୍କର ହୋଇଥାନ୍ତା। ମାତ୍ର କରୋନା କାରଣରୁ ଫିଲ୍ମ ରିଲିଜ ବନ୍ଦ ରହିଛି।