କରୋନା ଭ୍ୟାକ୍ସିନକୁ ନେଇ ଭାରତ ସହ ଚୁକ୍ତି କରିବାକୁ ଋଷ ଆଗ୍ରହୀ

ନୂଆଦିଲ୍ଲୀ: କରୋନା ଯୋଗୁ ସମଗ୍ର ବିଶ୍ୱବାସୀ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବାବେଳେ କେବଳ ଭାରତରେ ୩୧ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ସମସ୍ତଙ୍କ ନଜର କରୋନା ଭ୍ୟାକ୍ସିନ ଉପରେ ରହିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ପ୍ରଥମ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଋଷ ତା’ର ‘ସ୍ପୁଟନିକ-୫’ ଭ୍ୟାକ୍ସିନକୁ ନେଇ ଭାରତ ସହ ଆଲୋଚନା କରିଛି।

ଋଷ ତା’ର ‘ସ୍ପୁଟନିକ-୫’ ଭ୍ୟାକ୍ସିନ ସମ୍ପର୍କରେ ଭାରତକୁ ବିସ୍ତୃତ ଭାବରେ ସୂଚନା ଦେଇଛି। ଏହାକୁ ନେଇ ବାୟୋଟେକ୍ନିକ ବିଭାଗ ଓ ଆଇସିଏମଆର ସହ ମଧ୍ୟ ଆଲୋଚନା କରିଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୈଠକରେ ଋଷ ରାଷ୍ଟ୍ରଦୂତ ଉପସ୍ଥିତ ଥିବା ନେଇ ମଧ୍ୟ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭ୍ୟାକ୍ସିନକୁ ନେଇ ଭାରତ ସହ ଋଷ ଚୁକ୍ତି କରିବାକୁ ଇଚ୍ଛା ଜାହିର କରିବା ସମ୍ପର୍କରେ ପୂର୍ବରୁ ମଧ୍ୟ ଖବର ସାମ୍ନାକୁ ଆସିଥିଲା। ଏଥିସହିତ ଭାରତରେ ‘ସ୍ପୁଟନିକ-୫’କୁ ବଡ଼ ଆକାରରେ ଉତ୍ପାଦନ କରିବାକୁ ମଧ୍ୟ ଋଷ ଆଗ୍ରହ ପ୍ରକାଶ କରିଥିବା ନେଇ ସୂଚନା ମିଳିଛି।