ଦକ୍ଷିଣ ସାଇବେରିଆରେ ଋଷ ଯୁଦ୍ଧ ବିମାନ କ୍ରାସ: ୨ ପାଇଲଟ ମୃତ !

ମସ୍କୋ,ଏଜେନ୍ସି: ଦକ୍ଷିଣ ସାଇବେରିଆ ଅଞ୍ଚଳରେ ଋଷ ବାୟୁସେନାର ଏକ ଯୁଦ୍ଧ ବିମାନ କ୍ରାସ ହୋଇଛି । ଆଜି ଅପରାହ୍ନରେ ଏହି କ୍ରାସ ଘଟିଛି । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଅଟ୍ଟାଳିକାରେ ପିଟି ହୋଇଥିବା ମଧ୍ୟ କୁହାଯାଉଛି ।

ସ୍ଥାନୀୟ ଗଭର୍ନରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ଋଷ ସେନାର ଏହି ସୁଖୋଇ-୩୦ ଲଢୁଆ ବିମାନଟି ରୁଟିନ ଉଡାଣବେଳେ ଦକ୍ଷିଣ ସାଅବେରିଆ ଅଞ୍ଚଳରେ କ୍ରାସ ହୋଇ ଏକ ଅଟ୍ଟାଳିକାରେ ପିଟି ହୋଇଛି । ଏହା ଆପାର୍ଟମେଣ୍ଟରେ ମାଡ ହୋଇଥିଲେ ସୁଦ୍ଧା କେହି ସାଧାରଣ ନାଗରିକ ମୃତାହତ ହୋଇନଥିବା ଗଭର୍ଣ୍ଣର ସୂଚନା ଦେଇଛନ୍ତି । ତେବେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ଗତ ସୋମବାର ମଧ୍ୟ ୟୁକ୍ରେନ ସୀମାବର୍ତ୍ତୀ ଅଞ୍ଚଳରେ ଏକ ଋଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଏକ ଅଟ୍ଟାଳିକାରେ ଧକ୍କା ଖାଇଥିଲା । ଏଥିରେ ପାଇଲଟଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ପୁଣି ଏକ ଋଷୀୟ ଜେଟ୍‌ କ୍ରାସ ହେବା ପରେ ଚିନ୍ତା ବଢିଛି । କେଉଁ କାରଣରୁ ଏହି କ୍ରାସ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବାବେଳେ ତଦନ୍ତ ଆରମ୍ଭ କରିଛି ଋଷ ।