ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍-ଋଷ ଯୁଦ୍ଧ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି। ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ ପରେ ରୁଷିଆ ବହିବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍ ବୁଧବାର ଚାଇନାରେ ପହଞ୍ଚିଛନ୍ତି।
ଆଫଗାନିସ୍ତାନ ପ୍ରସଙ୍ଗରେ ଚାଇନା ଆୟୋଜନ କରିଥିବା ଦୁଇଦିନିଆ ଅନ୍ତର୍ଜାତୀୟ ବୈଠକରେ ଲାଭ୍ରୋଭଙ୍କ ସମେତ ପାକିସ୍ତାନ, ଇରାନ, ତୁର୍କମେନିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ପ୍ରତିନିଧି ସାମିଲ ହୋଇଛନ୍ତି। ଏଥ୍ରେ ତାଲିବାନ୍ ସରକାର ଅଧୀନରେ ଆଫଗାନିସ୍ତାନରେ ସ୍ଥିରତା ଓ ଆର୍ଥିକ ପ୍ରଗତି ଉପରେ ବେଜିଂ ଗୁରୁତ୍ଵ ଦେଇଛି।
ଚାଇନା ଓ ରୁଷିଆ ଏକ ନିରପେକ୍ଷ ବିଶ୍ବ ବ୍ୟବସ୍ଥା ଆଡ଼କୁ ଗତି କରୁଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କ ଇତିହାସରେ ଦୁନିଆ ଆହ୍ୱାନପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି। ଏହି ସମ୍ପର୍କ ପୁନଃନିର୍ମାଣ ଦିଗରେ ସହଯୋଗୀମାନଙ୍କ ସହ ବହୁମୁଖୀ, ନ୍ୟାୟସଙ୍ଗତ, ଗଣତାନ୍ତ୍ରିକ ବିଶ୍ବ ବ୍ୟବସ୍ଥା ପାଇଁ କାମ କରିବୁ ବୋଲି ଲାଭ୍ରୋଭ୍ କହିଛନ୍ତି। ଚାଇନା ପରେ ଲାଭ୍ରୋଭ୍ ମାର୍ଚ୍ଚ ୩୧ ଓ ଏପ୍ରିଲ ୧ରେ ଦୁଇଦିନିଆ ଭାରତ ଦୁଇଦିନିଆ ଭାରତ ଗସ୍ତ କରିବେ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।
ସେପଟେ ସମାନ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ଅର୍ଥବିତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା ଦଲୀପ ସିଂ ବୁଧବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତ କରି ଶୀର୍ଷ ନେତ୍ୱବୃନ୍ଦଙ୍କ ସହିତ ୟୁକ୍ରେନ୍ ଉପରେ ଆକ୍ରମଣ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍ ଚାଇନା ଗସ୍ତ ଶେଷ କରି ନୂଆଦିଲ୍ଲୀ ଆସୁଥିବାରୁ ଆମେରିକା ଡେପୁଟି ଏନ୍ଏସ୍ଏଙ୍କ ଗସ୍ତକୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି।