ରୁଷ ଓ ବେଲାରୁଷ ଶୁଟର୍‌ଙ୍କୁ ବ୍ୟାନ୍‌କଲା ଆଇଏସ୍‌ଏସ୍‌ଏଫ୍‌

କାହିରା,ଏଜେନ୍ସି: ୟୁକ୍ରେନ୍ ଉପରେ ଆକ୍ରମଣ କାରଣରୁ ଅନ୍ତର୍ଜାତୀୟ ସୁଟିଂ କ୍ରୀଡ଼ା ମହାସଂଘ (ଆଇଏସ୍‌ଏସ୍‌ଏଫ୍‌) ରୁଷ୍ ଏବଂ ବେଲାରୁଷର ଶୁଟ୍‌ରଙ୍କୁ ନିଜର ସମସ୍ତ ପ୍ରତିଯୋଗିତାରୁ ବ୍ୟାନ୍ କରିଛି । ମିଶରର କାହିରାରେ ଚାଲିଥିବା ବିଶ୍ୱକପ୍ ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ଏଠାରେ ମଙ୍ଗଳବାର ପର୍ଯ୍ୟନ୍ତ ରୁଷ୍ ଶୁଟର୍ ଇଭେଣ୍ଟ୍‌ରେ ଭାଗ ନେଇଥିଲେ । ଆଇଏସ୍‌ଏସ୍‌ଏଫ୍ ବୟାନ ଫଳରେ ଏହି ଶୁଟର୍‌ମାନେ ଏବେ ପ୍ରତିଯୋଗିତାରେ ଆଉ ଭାଗ ନେଇପାରିବେ ନାହିଁ ।

ଆଇଏସ୍‌ଏସ୍‌ଏଫ୍‌ର ବୟାନରେ କୁହାଯାଇଛି ‘ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର କାର୍ଯ୍ୟକାରୀ ବୋର୍ଡ ନିଷ୍ପତ୍ତି ଏବଂ ଆଇଓସି ଅଧ୍ୟକ୍ଷଙ୍କ ସହ ବୈଠକରେ ଆଇଏସ୍‌ଏସ୍‌ଏଫ୍ ଏହି ନିର୍ଣ୍ଣୟ ନେଇଛି ଯେ ରୁଷ୍ ମହାସଂଘ ଓ ବେଲୁରୁଷ୍ ଆଥ୍‌ଲେଟ୍‌ଙ୍କୁ ଆଇଏସ୍‌ଏସ୍‌ଏଫ୍ ଚାମ୍ପିଅନ୍‌ରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ ।’

ଏଥିରେ ଆହୁରି କୁହାଯାଇଛି ‘ଏହି ନିଷ୍ପତ୍ତି କେନ୍ଦ୍ରୀୟ ୟୁରୋପୀୟ ସମୟାନୁସାରେ ୨୦୨୨ ମାର୍ଚ୍ଚ ୧ ଅପରାହ୍ଣ ୪ଟା ପରଠାରୁ କାର୍ଯ୍ୟକାରୀ ହୋଇଛି ଏବଂ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଏହି ଲାଗୁ ରହିଛି ।’

ଆଶ୍ଚର୍ଯ୍ୟର ବିଷୟ ଆଇଏସ୍‌ଏସ୍‌ଏଫ୍‌ର ଅଧ୍ୟକ୍ଷ ଭ୍ଲାଦିମିର ଲିସିନ୍ ଓ ମହାସଚିବ ଆଲେକ୍‌ସାନ୍ଦ୍ର ରାଟେନର୍ ଉଭୟ ରୁଷୀୟ । ରୁଷ ଓ ବେଲାରୁଷ୍ ଖେଳାଳି ଓ ଅଧିକାରୀଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାରୁ ରୋକିବା ନିମନ୍ତେ ଆଇଓସି ମହାସଂଘକୁ ଅନୁରୋଧ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।