ଚାନ୍ଦିପୁରର ଆଇଟିଆରରୁ ରୁଦ୍ରମ-୧ର ସଫଳ ପରୀକ୍ଷଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଓଡ଼ିଶା ଉପକୂଳ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ଆଇଟିଆରରୁ ଭାରତର ପ୍ରଥମ ଆଣ୍ଟି ରାଡିଏସନ କ୍ଷେପଣାସ୍ତ୍ର ରୁଦ୍ରମ-୧ର ସଫଳ ପରୀକ୍ଷଣ ହୋଇଛି।

ସ୍ୱଦେଶୀ ଭାବରେ ବିକଶିତ ହୋଇଥିବା ଏହି ଆଣ୍ଟି ରାଡିଏସନ କ୍ଷେପଣାସ୍ତ୍ରକୁ ସୁଖୋଇ ୩୦ ଏମକେ ୱାନରୁ ପରୀକ୍ଷଣ କରାଯାଇଥିଲା। ଏହା ସଫଳ ହୋଇଥିବା ବେଳେ ହ୍ୱିଲର ଦ୍ୱୀପରେ ଅବସ୍ଥିତ ଲକ୍ଷକୁ ପିନ ପଏଣ୍ଟ ସଠିକତା ସହିତ ଭେଦ କରିଛି। ଏହି କ୍ଷେପଣାସ୍ତ୍ରଟି ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ସୁଖୋଇ ୩୦ ଏମକେ ୱାନରୁ ଲଞ୍ଚ କରାଯାଇପାରିବ। ଏଥିରେ ଲକ୍ଷ ଚୟନ ପାଇଁ ଆଇଏନଏସ- ଜିପିଏସ ରହିଛି।

ଏହା ବାୟୁରୁ ସ୍ଥଳ ଭାଗକୁ ଲକ୍ଷ ଭେଦ କରୁଥିବାବେଳେ ଏହାର ରେଞ୍ଜ ୧୦୦ରୁ ୧୫୦ କିଲୋମିଟର ରହିଛି। ଏହାର ଓଜନ ୧୪୦ କିଲୋଗ୍ରାମ ଓ ଏଥିରେ ଡୁଆଲ ପ୍ଲସ ସଲିଡ ରକେଟ ମୋଟରର ବ୍ୟବହାର ହୋଇଛି। ଶତ୍ରୁକୁ ପରାସ୍ତ କରିବା ପାଇଁ ଭାରତୀୟ ବାୟୁସେନାରେ ଏହାର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିବ ବୋଲି କୁହାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।