ପାଟଣା,ଏଜେନ୍ସି: ବିହାର ରାଜନୀତିରେ ହଙ୍ଗାମା ଦେଖିବାକୁ ମିଳିଛି। ବେରୋଜଗାର, ମହଙ୍ଗା ଓ ଆଇନ ବ୍ୟବସ୍ଥାକୁ ବିରୋଧ କରି ରାଜରାସ୍ତାରେ ପ୍ରଦର୍ଶନ କରୁଥିବା ଆରଜେଡି କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଛି। ଅନ୍ୟପକ୍ଷରେ ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ ବିଧେୟକର ବିରୋଧ କରୁଥିବା ବିରୋଧୀ ଦଳର ବିଧାୟକମାନେ ଗୃହରେ ହଂଗାମା କରିଛନ୍ତି। ଫଳରେ ଆରଜେଡି ବିଧାୟକ ଓ ପୁଲିସ ମୁହାଁମୁହିଁ ହୋଇଛି। ପାଟଣାରେ ହିଂସା ସୃଷ୍ଟି କରିବା ଅଭିଯୋଗରେ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ଓ ଅନ୍ୟ ଆରଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ମଙ୍ଗଳବାର ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଆରଜେଡି କର୍ମକର୍ତ୍ତାମାନେ ବେରୋଜଗାର, ଦରବୃଦ୍ଧି ଓ ଆଇନ ପ୍ରସଙ୍ଗରେ ପ୍ରଦର୍ଶନ କରିଥିଲେ। ଏହି ଲୋକମାନେ ବିଧାନସଭା ଘେରାଉ କରିବାକୁ ଯାଉଥିଲେ। ଡାକବଙ୍ଗଳା ଛକରେ ପୁଲିସ ପ୍ରଦର୍ଶନକାରୀଙ୍କୁ ଅଟକାଇଥିଲା। ଫଳରେ ଆରଜେଡି ନେତାମାନେ ପୁଲିସକୁ ଖାତିର ନକରି ଆଗକୁ ବଢ଼ିବାରେ ଲାଗିଥିଲା, ଯେଉଁଥିପାଇଁ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା। ଆରଜେଡି ନେତାମାନେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ଏହା ପରେ ପୁଲିସ ମଧ୍ୟ ଲାଠି ଚଳାଇଥିଲା। କିଛି ଆରଜେଡି କର୍ମୀ ଆହତ ହୋଇଥିବା ମଧ୍ୟ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ପ୍ରଦର୍ଶନକାରୀମାନେ ସରକାରୀ ସଂପତ୍ତି କ୍ଷୟକ୍ଷତି କରିବା ଅଭିଯୋଗରେ ତାଙ୍କର ନାଁରେ ମାମଲା ରୁଜୁ ହୋଇଛି।