୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲ ହେଉଛି ରିୟାଙ୍କ ଘର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କ ସମେତ ୬ଜଣ ଆଜି ବମ୍ବେ ହାଇକୋର୍ଟରେ ହାଜର ହୋଇଥିଲେ। କୋର୍ଟ ସବୁ ଅଭିଯୁକ୍ତଙ୍କୁ ଅକ୍ଟୋବର ୬ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।  ରିୟା ଜାମିନ ଆବେଦନ କରିଥିଲେ ମଧ୍ୟ ଏବେ ଏହାର ଶୁଣାଣୀ ହୋଇନାହିଁ। ଏଥିସହିତ ଜାମିନ ଆବେଦନର ଶୁଣାଣୀ ନେଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇନାହିଁ।

ସୂଚନାଯୋଗ୍ୟ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ଲିଙ୍କକୁ ନେଇ ଏନସିବି ଏବେ ଜୋରଦାର ଯାଞ୍ଚ କରୁଛି। ଏଥିରେ ବହୁ ବଡ଼ ବଡ଼ ‘ଏ’ ଲିଷ୍ଟର ତାରକାଙ୍କ ନାମ ଥିବାବେଳେ ବଲିଉଡର ହାଏଷ୍ଟ ପେଡ୍ ଆକ୍ଟ୍ରେସ ଦୀପିକା ପାଦ୍ୟୁକୋନଙ୍କ ନାମ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଦୀପିକା ଓ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଡ୍ରଗ୍ସ ଚାଟ୍ ଏନସିବି ହାତରେ ଲାଗିଛି। ଏନସିବି ଆଜି କରିସ୍ମାଙ୍କୁ ସମନ କରିଥିବାବେଳେ ସପ୍ତାହକ ମଧ୍ୟରେ ଦୀପିକାଙ୍କୁ ମଧ୍ୟ ସମନ ଜାରି କରିବ ବୋଲି ସୂଚନା ମିଳିଛି। ଦୀପିକାଙ୍କ ପୂର୍ବରୁ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଓ ରକୁଲପ୍ରୀତ ସିଂଙ୍କ ନାମ ମଧ୍ୟ ଏହି ଡ୍ରଗ୍ସ ଲିଙ୍କରେ ଯୋଡ଼ି ସାରିଛି।