ହୋମ୍ ଆଇସୋଲେସନ୍‌ରେ ରହୁଥିବା କୋଭିଡ୍ ରୋଗୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: ପୁଣି ବଢିଛି କରୋନା କୋପ। ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ବଢିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ସମୟରେ ଅଧିକାଂଶ କୋଭିଡ୍ ରୋଗୀ ଏବେ ହୋମ୍ ଆଇସୋଲେସନ୍‌ରେ ରହୁଛନ୍ତି। ଯାହାକୁ ନେଇ ଆଜି ହୋମ୍ ଆଇସୋଲେସନ୍‌ରେ ରହୁଥିବା କରୋନା ରୋଗୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।

ସଂଶୋଧିତ ଗାଇଡ୍‌ଲାଇସନ୍ ଅନୁସାରେ, ପଜିଟିଭ୍ ବାହାରିବାର ଅତିକମ୍‌ରେ ୭ ଦିନ ପର୍ଯ୍ୟନ୍ତ ଘରେ ରହିବା ସହ କ୍ରମାଗତ ୩ ଦିନ ଧରି ଜର ନ ହୋଇଥିବା ଆକ୍ରାନ୍ତମାନେ ଆଉ ଏକାନ୍ତବାସରେ ରହିବେ ନାହିଁ।

ଏକାନ୍ତବାସ ସମୟ ଶେଷ ହେବା ପରେ ପୁଣି ଥରେ ନମୁନା ପରୀକ୍ଷା କରିବା ଅନାବଶ୍ୟକ। ଲକ୍ଷଣ ନଥାଇ ସଂକ୍ରମିତ ବ୍ୟକ୍ତିମାନେ ମଧ୍ୟ କୋଭିଡ୍ ଟେଷ୍ଟ୍ କରାଇବା କିଂବା ଘରେ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଅନାବଶ୍ୟକ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ଅଛି।

ଏହାଛଡା ପ୍ରତିଦିନ ଜିଲ୍ଲା ପ୍ରଶାସନ ‘ହୋମ୍ ଆଇସୋଲେସନ୍‌’ରେ ଥିବା ସମସ୍ତ କରୋନା ଆକ୍ରାନ୍ତଙ୍କର ଦେଖାଶୁଣା କରିବ ବୋଲି ସଂଶୋଧିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଏଥିପାଇଁ ଡିଷ୍ଟ୍ରିକ୍ଟ୍‌ଏବଂ ସବ୍‌-ଡିଷ୍ଟ୍ରିକ୍ଟ୍ କଣ୍ଟ୍ରୋଲ୍ ରୁମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବା ସହ ସେମାନଙ୍କର ଟେଲିଫୋନ୍ ନମ୍ବର ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରାଯିବ।

ଘରେ କୌଣସି ବ୍ୟକ୍ତି ‘ହୋମ୍ ଆଇସୋଲେସନ୍‌’ରେ ରହିଲେ ପରିବାରର ବାକି ସଦସ୍ୟମାନେ ମଧ୍ୟ କ୍ୱାରେଣ୍ଟିନ୍‌ରେ ରହିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି।