ଭୁବନେଶ୍ବର,ଏନ୍ଏନ୍ଏସ୍: କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକିରେ ଭ୍ରମଣକାରୀ ସ୍ପେନ୍ ଘରୋଇ ଭାରତଠୁ ଦିନକ ଭିତରେ ଦୁଇଥର ମଧୁର ପ୍ରତିଶୋଧ ନେଇଛି। ଶନିବାର ଭାରତୀୟ ପୁରୁଷ ଏବଂ ମହିଳା ଦଳ ଏହି ୟୁରୋପୀୟ ଦେଶ ବିପକ୍ଷରେ ଯୁଗଳ ବିଜୟ ହାସଲ କରିଥିଲେ। ରବିବାର ସ୍ପେନ୍ ଅନୁରୂପ ଭାବେ ଭାରତୀୟ ପୁରୁଷ ଏବଂ ମହିଳା ଦଳକୁ ହରାଇ ଯୁଗଳ ବିଜୟ ପାଇଛି। ଫଳରେ ଦୁଇ ଦିନରେ ଖେଳାଯାଇଥିବା ଚାରିଟି ମ୍ୟାଚ୍ (ପୁରୁଷ ଏବଂ ମହିଳାକୁ ମିଶାଇ) ରୁ ସ୍ପେନ୍ ଦୁଇଟି ଜିତିଥିଲା ବେଳେ ଭାରତ ଦୁଇଟି ଜିତିଛି। ଭାରତୀୟ ମହିଳା ଦଳ ରବିବାରର ପ୍ରଥମ ମ୍ୟାଚ୍ରେ ୩-୪ରେ ହାରିଥିଲା। ଅନ୍ୟପକ୍ଷରେ ପୁରୁଷ ଦଳ ୩-୫ ଗୋଲ୍ରେ ପରାଜିତ ହୋଇଥିଲା।
ରବିବାର ରାତିର ଭାରତ-ସ୍ପେନ୍ ପୁରୁଷ ମ୍ୟାଚ୍ର ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧରେ ୫ଟି ଗୋଲ୍ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ସ୍ପେନ୍ ୩ ଏବଂ ଭାରତ ୨ଟି ଗୋଲ୍ ଦେଇଥିଲା। ମ୍ୟାଚ୍ର ପ୍ରଥମ ଗୋଲ୍ ଭାରତର ଯୁବ ତାରକା ଅଭିଷେକ ଷଷ୍ଠ ମିନିଟ୍ରେ ଦେଇଥିଲେ। ପ୍ରଥମ କ୍ବାର୍ଟର ଶେଷ ହେବାର ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ଲଗାତାର ଦୁଇଟି ଗୋଲ୍ ଦେଇ ସ୍ପେନ୍ କିନ୍ତୁ ୨-୧ରେ ଆଗୁଆ ହୋଇଯାଇଥିଲା। ପାଉ କୁନିଲ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲ୍ରେ ରୂପାନ୍ତର କରିବାର କିଛି ସେକେଣ୍ଡ ପରେ ଜନ୍ ଟରେସ୍ ଫିଲ୍ଡ ଗୋଲ୍ ଦେଇ ଭାରତୀୟ ରକ୍ଷଣଭାଗକୁ ଚକିତ କରି ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଭାରତକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍ ରେଫରାଲରେ ନାକଚ ହେବା ପରେ ସ୍ପେନ୍ ତାର ଆକ୍ରମଣକୁ ତୀବ୍ରତର କରିଥିଲା। ଯାହାର ଫଳ ୨୦ତମ ମିନିଟ୍ରେ ମିଳିଥିଲା। ପାଉ କୁନିଲ ପୁଣି ଥରେ ଏହି ଗୋଲ୍ ଦେଇଥିଲେ।
ସ୍ପେନ୍ ୩-୧ରେ ଆଗୁଆ ହୋଇ ମ୍ୟାଚ୍କୁ ପୂରା ନିଜ ନିୟନ୍ତ୍ରଣକୁ ନେବାର ଦ୍ବାର ଦେଶରେ ଥିଲା ବେଳେ ମାତ୍ର ୩ ମିନିଟ୍ ପରେ ହରମନପ୍ରୀତ ନିଜ ଚମତ୍କାର ଷ୍ଟିକ୍ ଚାଳନାରେ ଭାରତକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ତାଙ୍କ ଗୋଲ୍ ବଳରେ ଭାରତ ୨-୩ରେ ପ୍ରଥମାର୍ଦ୍ଧ ଶେଷ କରିଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ଆଉ ଗୋଟିଏ ଗୋଲ୍ ଦେଇଥିଲା ବେଳେ ସ୍ପେନ୍ ଦୁଇଟି ଗୋଲ୍ ଦେଇ ବିଜୟର ମିଠା ସ୍ବାଦ ଚାଖିଥିଲା। ଭାରତ ପକ୍ଷରୁ ଦ୍ବିତୀୟାର୍ଦ୍ଧର ଏକମାତ୍ର ଗୋଲ୍ ପଦାର୍ପଣକାରୀ ସୁଖଜିତ ସିଂହ ଦେଇଥିଲେ। ସ୍ପେନ୍ ପକ୍ଷରୁ କୁନିଲେ ପେପେ ଏବଂ ମାର୍କ ମିରଲେସ୍ ଭାରତୀୟ ଗୋଲ୍ରକ୍ଷକଙ୍କୁ ଚକ୍ମା ଦେବାକୁ ସକ୍ଷମ ହୋଇଥିଲେ। ଟରେସଙ୍କୁ ଅଗ୍ନିଶମ ଡିଜି ଅରୁଣ କୁମାର ରାୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।