ଖାଉଟିଙ୍କୁ ହୋଲସେଲ୍ ବଜାର ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଲୋକମାନେ ପ୍ରତ୍ୟେକ ଦିନ ବିଭିନ୍ନ ଜିନିଷ କିଣିବାପାଇଁ ବଜାର ଯାଉଛନ୍ତି । ତେବେ ସେଠାରେ ସାମାଜିକ ଦୂରତ୍ୱ କୁ ମାନୁନାହାନ୍ତି । ମାତ୍ର ଆଜି ଠାରୁ ଖାଉଟି ମାନେ ହୋଲସେଲ୍‌ ବଜାରକୁ ଯାଇପାରିବେ ନାହିଁ । ଏହା କେବଳ ଖୁଚୁରା ବ୍ୟବସାୟୀଙ୍କ ପାଇଁ । ଖାଉଟି ମାନେ ଘର ପାଖ ଦୋକାନକୁ ଚାଲି କରି ବା ସାଇକେଲରେ ଯାଇ ଜିନିଷ ଆଣନ୍ତୁ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେତୋଟି ସଂକ୍ରମଣ ପ୍ରବଣ ଅଂଚଳକୁ କ୍ଲଷ୍ଟର କେଂଟନମେଂଟ ଘୋଷଣା କରାଯାଇଛି । ଏଭଳି ଅଂଚଳର ଲୋକେ ଘରୁ ବାହାରି ପାରିବେ ନାହିଁ ଏବଂ ବାହାରୁ କୌଣସି ବ୍ୟକ୍ତି ସେଠାକୁ ଯାଇ ପାରିବେ ନାହିଁ । ସମ୍ପୃକ୍ତ ଅଂଚଳରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବ । ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଏହାସହ ସମ୍ପୃକ୍ତ ଅଂଚଳକୁ ସାନିଟାଇଜ୍ କରାଯିବ । ଏହା କେତେଦିନ ଧରି ଚାଲିବ କହିହେବ ନାହିଁ । ଉକ୍ତ ଘର ମାନଙ୍କରେ ପୌରସଂସ୍ଥା ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବେ । ଭୁବନେଶ୍ୱରରେ କେତେକ ଅଂଚଳରେ ଏଭଳି କରାଯାଇଛି । ତେବେ କିଛି ଲୋକ ନବୁଝି ବିଏମସିକୁ କଲ୍ କରି ଅସ୍ତବ୍ୟସ୍ତ କରଥିଲେ । ଏଭଳି କଠିନ ସମୟରେ ଆମକୁ ଅନୁଶାସନ ସହିତ ସମ୍ବେଦନଶୀଳ ଭାବେ ରହିବାକୁ ପଡିବ ବୋଲି ସେ କହିଛନ୍ତି ।