ବଳପୂର୍ବକ ଧର୍ମାନ୍ତରୀକରଣ: ସୁପ୍ରିମ୍‌କୋର୍ଟଙ୍କ ଚିନ୍ତା ପ୍ରକାଶ, କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ରକୁ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଜବରଦସ୍ତି ଧର୍ମ ପରିବର୍ତ୍ତନ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ୍‌କୋର୍ଟ । ଏହାକୁ ଅତି ‘ଗମ୍ଭୀର ସମସ୍ୟା’ ବୋଲି ଦର୍ଶାଇଛନ୍ତି । ଏଭଳି ଘଟଣା ଉପରେ ରୋକ୍‌ ଲଗାଇବା ପାଇଁ କଡ଼ା ପଦକ୍ଷେପ ନେବା ପାଇଁ ଆଗ୍ରହ ପ୍ରକାଶ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଦେଶରେ ଜବରଦସ୍ତ ଧର୍ମ ପରିବର୍ତ୍ତନ ଭଳି ଘଟଣା ବନ୍ଦ ନହେଲେ ଆଗାମୀ ଦିନ ଅତି ଗମ୍ଭୀର ସ୍ଥିତି ଉତ୍ପନ୍ନ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ୍‌ ଏମ୍‌.ଆର୍‌ ଶାହ ଓ ହିମା କୋହଲି କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ଏଥିପ୍ରତି ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, “ଏହା ଅତି ଗମ୍ଭୀର ବିଷୟ । ଧର୍ମ ପରିବର୍ତ୍ତନକୁ ରୋକିବାକୁ ସଚ୍ଚୋଟତାର ସହିତ କେନ୍ଦ୍ର ସରକାର ପଦକ୍ଷେପ ନେବା ଜରୁରୀ । ତାହା ନହେଲେ ଭବିଷ୍ୟତରେ ଦେଶରେ ବିପଦ ସ୍ଥିତି ଉତ୍ପନ୍ନ ହୋଇପାରେ । ଏଭଳି ଘଟଣା ରୋକିବାକୁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ଜଣାନ୍ତୁ ।”

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଦେଶରେ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ ଏକ ମୁଖ୍ୟ ମୁଦ୍ଦା ପାଲଟିଛି । ଏହାଦ୍ବାରା ଦେଶର ଅନ୍ତରୀଣ ସୁରକ୍ଷା ଓ ସ୍ବାଧୀନତା କ୍ଷୁର୍ଣ୍ଣ ହେଉଛି । ଏହାକୁ ନେଇ କେନ୍ଦ୍ର ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିବା ନିହାତି ଆବଶ୍ୟକ । ଧର୍ମନ୍ତରୀକରଣକୁ ରୋକିବାକୁ କଣ ପଦକ୍ଷେପ ନିଆଯାଇ ପାରିବ, ତାହାକୁ ନେଇ କେନ୍ଦ୍ର ସରକାର ଏକ ରିପୋର୍ଟ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ ।”

ଆଡଭୋକେଟ୍‌ ଅଶ୍ବିନ କୁମରା ଉପାଧ୍ୟାୟ ଜବରଦସ୍ତ ଧର୍ମନ୍ତରୀକରଣକୁ ନେଇ ସୁପ୍ରିମକ୍ରୋଟରେ ଏକ ଯାଚିକା ଦାଖଲ କରିଥିଲେ । ଏହାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଜବରଦସ୍ତ ଧର୍ମନ୍ତରୀକରଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ନିବେଦନ କରିଥିଲେ । ଏହାପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।