ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲାୟନ୍ସ ଫାଉଣ୍ଡେସନର ବିଶେଷ ଘୋଷଣା

ମୁମ୍ବାଇ: ଓଡ଼ିଶାର ବାଲେଶ୍ୱରସ୍ଥିତ ବାହନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ହଜାରେରୁ ଉର୍‌ଦ୍ଧ୍ୱ ଗୁରୁତର ହୋଇଛନ୍ତି । ଏଭଳି ସ୍ଥିତିରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ଉଦ୍ଧାରକାରୀ ଦଳ ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି । ଏହିକ୍ରମେ ରିଲାୟନ୍ସ ଫାଉଣ୍ଡେସନ ମଧ୍ୟ ସକ୍ରିୟ ଭାବେ ଲୋକଙ୍କୁୂ ସାହଯ୍ୟ କରୁଛି । ରିଲାୟନ୍ସ ଫାଉଣ୍ଡେସନର ଟିମ୍ ଦୁର୍ଘଟଣାସ୍ଥଳରେ ବଞ୍ଚିଥିବା ଲୋକଙ୍କ ସହ ଉଦ୍ଧାରକାରୀ ଦଳଙ୍କୁ ଖାଦ୍ୟ ଯୋଗାଇଛି ।

ରିଲାୟନ୍ସ ଫାଉଣ୍ଡେସନର ସଂସ୍ଥାପକ ନୀତା ଅମ୍ବାନୀ କହିଛନ୍ତି ଯେ, ଓଡ଼ିଶାରେ ହୋଇଥିବା ଦୁଃଖଦ ଟ୍ରେନ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ସହ ଆମେ ଦୃଢ଼ଭାବେ ଠିଆ ହୋଇଛୁ । ଆମ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସଙ୍କଟର ଏଭଳି ଘଡ଼ିରେ ଆମ ଟିମ୍ ଉଦ୍ଧାରକାରୀ ଦଳକୁ ଖାଦ୍ୟ ଯୋଗାଇବା ସହ ଆବଶ୍ୟକ ଜିନିଷ ପ୍ରଦାନ କରୁଛନ୍ତି । ଆମେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।

ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ଦୃଷ୍ଟିରେ ରଖି ରିଲାୟନ୍ସ ଫାଉଣ୍ଡେସନ ତରଫରୁ ବିଶେଷ ଘୋଷଣା କରାଯାଇଛି । ସେଗୁଡ଼ିକ ହେଲା-
୧- ଜିଓ-ବିପି ନେଟୱାର୍କ ମାଧ୍ୟମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଆମ୍ବଲାନ୍ସକୁ ଫ୍ରିରେ ଇନ୍ଧନ ଯୋଗାଇ ଦିଆଯିବ ।
୨- ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ରିଲାୟନ୍ସ ଷ୍ଟୋର ତରଫରୁ ୬ ମାସ ପାଇଁ ମାଗଣା ରାସନ ଚାଉଳ, ଅଟା, ଚିନି ଡାଲି ଓ ରୋଷେଇ ତେଲ ପ୍ରଦାନ କରାଯିବ ।
୩- ଦୁର୍ଘଟଣାରେ ଗୁରୁତର ହୋଇଥିବା ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରିବା ସହ ଆହତଙ୍କୁ ଶୀଘ୍ର ସୁସ୍ଥ ହେବା ଲାଗି ଔଷଧ ଯୋଗାଇ ଦିଆଯିବ ।
୪- ଯେଉଁମାନଙ୍କୁ କାଉନସେଲିଂର ଆବଶ୍ୟକତା ରହିଛି ତାଙ୍କ ପାଇଁ ରିଲାୟନ୍ସ ତରଫରୁ ବ୍ୟବସ୍ଥା କରାଯିବ ।
୫- ଯଦି ଆବଶ୍ୟକ ପଡ଼େ ତା’ହେଲେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଜଣେ ପରିବାର ସଦସ୍ୟଙ୍କୁ ଜିଓ ଏବଂ ରିଲାୟନ୍ସ ରେଟଲ ମାଧ୍ୟମରେ ଚାକିରି ପ୍ରଦାନ କରାଯିବ ।
୬- ଶାରୀରିକ ଭାବେ ଅକ୍ଷମ ହୋଇଥିବା ଲୋକଙ୍କୁ ହ୍ୱିଲ ଚେୟାର ଓ କୁତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଯୋଗାଇ ଦିଆଯିବ ।
୭- କ୍ଷତିଗ୍ରସ୍ତଙ୍କ ଲାଗି ନୂଆ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ ।
୮- ଘରର ରୋଜଗାରିଆ ଲୋକଙ୍କୁ ହରାଇଥିବା ମହିଳାଙ୍କ ପାଇଁ ମାଇକ୍ରୋଫାଇନାନ୍ସ ଓ ତାଲିମ ସୁଯୋଗ ସୃଷ୍ଟି କରାଯିବ ।
୯- ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜୀବିକା ନିର୍ବାହ ପାଇଁ ଗାଈ, ବଳଦ, ଛେଳି କିମ୍ବା କୁକୁଡ଼ା ଯୋଗାଇ ଦିଆଯିବ ।
୧୦- ଜୀବନକୁ ପୁଣିଥରେ ଗଢ଼ିବା ପାଇଁ କ୍ଷତିଗ୍ରସ୍ତ ପରିବାରର ଜଣେ ସଦସ୍ୟଙ୍କୁ ବର୍ଷକ ପାଇଁ ମୋବାଇଲ ସଂଯୋଗ ଦିଆଯିବ ।