ପଶ୍ଚିମା ଝଡ଼ର ପ୍ରଭାବ, ୩ରୁ ବର୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ପୁଣିଥରେ ପଶ୍ଚିମା ଝଡ଼ ପ୍ରଭାବରେ ଅଦିନିଆ ବର୍ଷା ହେବାକୁ ଯାଉଛି। ଫେବୃଆରୀ ୩ ତାରିଖରୁ ଏହି ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଫେବୃଆରୀ ୩ ଏବଂ ୪ ତାରିଖରେ ବର୍ଷାର ସମ୍ଭାବନା ରହିଛି। ତେବେ ବର୍ଷା କେତେଦିନ ଲାଗି ରହିବ ସେନେଇ ସ୍ପଷ୍ଟ ଚିତ୍ର ଆସିପାରିନି।

ଗତ ୨୪ ଘଣ୍ଟାର ଚିତ୍ର ଦେଖିଲେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ତେବେ ରାଜ୍ୟରେ ବର୍ତ୍ତମାନ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତର ପ୍ରଭାବ ଜାରି ରହିଛି। ଭବାନୀପାଟଣା, ଝାରସୁଗୁଡ଼ା, କେନ୍ଦୁଝରରେ ଅତିଶୟ ଶୀତ ଦେଖିବାକୁ ମିଳିଛି। ତାପମାତ୍ରା କଥା ଦେଖିଲେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୬.୨ ଡିଗ୍ରୀ ରେକର୍ଡ଼ ହୋଇଛି। ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୧୧.୨ ଡିଗ୍ରୀ ଏବଂ କଟକରେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଶୀତ ଲହରୀକୁ ଦେଖି ଆସନ୍ତାକାଲି ପାଇଁ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଆଗାମୀ ଦୁଇ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ। ତେବେ ବର୍ଷା ପୂର୍ବରୁ ତାପମାତ୍ରା ସାମନ୍ୟ ବୃଦ୍ଧି ଘଟିବ। ହେଲେ ପାଗ ଶୁଖିଲା ରହିବାକୁ ଥିବାରୁ ବାୟୁମଣ୍ଡଳର ସ୍ଥିରତା କୁହୁଡ଼ିକୁ ସୁହାଇବ। ଫେବୃଆରୀ ୩ରୁ ବର୍ଷାର ସମ୍ଭାବନା ଥିବାବେଳେ ୨ ତାରିଖରୁ ଉପକୂଳ ଓଡ଼ିଶାରେ ଘନକୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ ବୋଲି କୁହାଯାଇଛି।