ଡ୍ରଗ୍ସ ମାଫିଆଙ୍କଠାରୁ ଧମକ ମିଳିବା ପରେ ରବି କିଶନଙ୍କୁ ମିଳିଲା ‘ୱାଇ ପ୍ଲସ୍’ ସୁରକ୍ଷା

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ଲିଙ୍କ ନେଇ ସଂସଦରେ ଉପସ୍ଥାପନ କରିବା ପରେ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ଡ୍ରଗ୍ସ ମାଫିଆଙ୍କଠାରୁ ଧମକ ମିଳୁଥିଲା। ଆଉ ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ‘ୱାଇ ପ୍ଲସ୍’ ସୁରକ୍ଷା ପ୍ରଦାନ କରିଛନ୍ତି। ଏନେଇ ନିଜେ ରବି କିଶନ ଟ୍ୱିଟ୍ କରି ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଆଗାମୀ ଦିନରେ ମଧ୍ୟ ସେ ଲୋକଙ୍କ ପାଇଁ ମୁହଁ ଖୋଲିବେ ବୋଲି କହିଛନ୍ତି।

ରବି କିଶନ ଆହୁରି କହିଛନ୍ତି ଯେ, ‘ସଂସଦରେ ଡ୍ରଗ୍ସ ସମ୍ବନ୍ଧରେ ମୁହଁ ଖୋଲିବା ପରେ ମୁଁ ଜାଣିଥିଲି କି ଏହା ଏକ ଆନ୍ଦୋଳନରେ ପରିଣତ ହେବ ଓ ମୋତେ ଜୀବନରୁ ମାରି ଦେବାକୁ ଧମକ ମିଳିବ। ମୁଁ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପତ୍ର ଲେଖିବା ସହ ସାକ୍ଷାତ କରି ଜଣାଇଥିଲି। ବିଜେପି ତା’ର ସମସ୍ତ ସଦସ୍ୟଙ୍କର ଧ୍ୟାନ ରଖିଥାଏ ଯାହାକି ଆଜି ପ୍ରମାଣିତ ହୋଇଗଲା।’