ଗୁଆହାଟୀ,ଏଜେନ୍ସି: ଆସାମର ତେଜପୁର ଅନ୍ତର୍ଗତ ବିଶ୍ୱନାଥ ଜିଲ୍ଲାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ସେହି ସ୍କୁଲର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ୭ ଜଣ ଛାତ୍ର ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତମାନେ ଫେରାର ହୋଇଯିବାକୁ ବସିଥିଲାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଏହି ୭ଜଣ ଛାତ୍ର ଶନିବାର ଦିନ ସେମାନଙ୍କର ପରୀକ୍ଷା ସରିଯିବା ପରେ ପାର୍ଟି କରିବା ବାହାନାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଗୋହପୁର ଥାନା ଅନ୍ତର୍ଗତ ଚକଲା ଗ୍ରାମରେ ଥିବା ଏକ ନିକାଞ୍ଚନ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ। ଧରାପଡ଼ିଯିବା ଭୟରେ ଅଭିଯୁକ୍ତ ଛାତ୍ରମାନେ ଛାତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବା ଉଦ୍ଦେଶ୍ୟରେ ଛାତ୍ରୀର ଶବକୁ ନେଇ ଅଦୂରରେ ଥିବା ଏକ ଗଛରେ ଝୁଲାଇ ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲାବେଳେ ପୁଲିସ ହାତରେ ଧରାପଡ଼ିଥିଲେ।