ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତ ଧନପୁର ଗ୍ରାମର ହଳଧର ହରିଜନଙ୍କ ୭ ବର୍ଷର ଶିଶୁପୁତ୍ର ରାଜୁ ହରିଜନ ଆଜକୁ ୬ ମାସ ପୂର୍ବେ ମୁଣ୍ଡ ବ୍ୟଥା ହୋଇଥିଲା। ଏନେଇ ସେ ଘରେ ମା’ ମଇନା ହରିଜନକୁ ଜଣାଇଥିଲେ। ପରେ ଧୀରେ ଧୀରେ ମୁଣ୍ଡରେ ଯନ୍ତ୍ରଣା ବଢିବା ସହ ବାମ ଆଖି ଫୁଲିବା ଆରମ୍ଭ କରିଥିଲା। ରାଜୁର ମୁଣ୍ଡରେ ଏକ ବଡ ଟ୍ୟୁମର ହୋଇଥିବା ସେ ଜଣାପଡ଼ିବା ପରେ ସ୍ଥାନୀୟ ଡାକ୍ତର ତାଙ୍କୁ ଭୁବନେଶ୍ୱର କିମ୍ବା କଟକ ଯିବାକୁ ପରାମର୍ଶ ଦେଇଥିଲେ। ହଳଧର କୁଲି ମଜୁରୀ କରି ୫ ପ୍ରାଣୀ ବିଶିଷ୍ଟ କୁଟୁମ୍ବର ପ୍ରତିପୋଷଣ କରନ୍ତି। ଏହାପରେ ରାଜୁର ଉନ୍ନତ ଚିକିତ୍ସା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଭାଗ୍ୟକୁ ଆଦରି ରାଜୁକୁ ଘରେ ହିଁ ଜଡିବୁଟି ଔଷଧ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା ଚଳାଇଥିଲେ ପରିବାର ଲୋକେ।
ରାଜୁର କରୁଣ ଅବସ୍ଥା ଦେଖି ସ୍ଥାନୀୟ ଏକମ୍ବା ସରପଞ୍ଚ ଶ୍ରୀପତି ଭତରା ରାଜୁକୁ ସାଥିରେ ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସଭବନକୁ ଯାଇଥିଲେ। ସେଠାରେ ସାଂସଦ ଶ୍ରୀ ମାଝୀ ରାଜୁ ସହ କିଛି ସମୟ ବାର୍ତ୍ତାଳାପ କରିବା ପରେ ତା ଯନ୍ତ୍ରଣା ଅନୁଭବ କରି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଶିଶୁଟିର ଉନ୍ନତ ଚିକିତ୍ସା ପାଇଁ ଦାୟିତ୍ୱ ଦେଇଥିଲେ। ବିଧାୟକ ରାଜୁକୁ କିମ୍ସରେ ଭର୍ତ୍ତି କରାଇଥିଲେ। ସେହି ମଧ୍ୟରେ ରାଜୁର ଟ୍ୟୁମର କ୍ୟାନସରରେ ପରିଣତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହାପରେ ବୋଝକୁ ନଳିତା ବିଡ଼ା ପରି ରାଜୁ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ପରେ କିମ୍ସରୁ ରାଜୁକୁ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ କୋଭିଡ ଚିକିତ୍ସା ଜାରିରଖାଗଲା। ସେ ସୁସ୍ଥ ହେବାରୁ ଶିଶୁଙ୍କ ପାଇଁ ଉଦିଷ୍ଟ କ୍ୟାନ୍ସର ୟୁନିଟରେ ରାଜୁକୁ ଭର୍ତ୍ତି କରି ତାକୁ କେମୋ ଥେରାପି ଦିଆଯାଇଥିଲା।
