ଆଇଏନଏସ ବିକ୍ରମାଦିତ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଗୋଆ,ଏଜେନ୍ସ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ପୂରାଦିନ ଆଇଏନଏସ ବିକ୍ରମାଦିତ୍ୟରେ ବିତାଇଥିବା ଜଣାଯାଇଛି। ଏହି ଅବସରରେ ଗୋଆ ଉପକୂଳରେ ଆଇଏନଏସ୍ ବିକ୍ରମାଦିତ୍ୟ ଦ୍ୱାରା ନିଜର ସାମାରିକ ଦକ୍ଷତା ପ୍ରଦର୍ଶନ କରିଛି ଭାରତୀୟ ନୌସେନା। ନୌବାହିନୀର ଏହି ରଣକୌଶଳକୁ ଦେଖି ପ୍ରତିରକ୍ଷା ମନ୍ତ୍ରୀ ଅଭିଭୂତ ହୋଇଯାଇଛନ୍ତି।

ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ଆମ ଦେଶ ସୁରକ୍ଷିତ ହାତରେ ଅଛି। ଭାରତ ମହାସାଗରରେ ନୌସେନାର ଉପସ୍ଥିତି ଦେଶର ସୁରକ୍ଷାକୁ ବଢ଼ାଇଛି ବୋଲି ସେ କହିଛନ୍ତି। ରାଜନାଥ ନିଜେ ମିଡ଼ିୟମ ମେସିନ ଗନ୍‌ ଚଳାଇଥିଲେ। ସେହିପରି ବାଲାକୋଟ ଆକ୍ରମଣ ସମୟରେ ପଶ୍ଚିମ ତଟର ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବାରୁ ରାଜନାଥ ଏହାକୁ ପ୍ରଶଂସା କରିଥିଲେ। ଜଳପଥ ଆକ୍ରମଣରୁ ଦେଶକୁ ରକ୍ଷା କରିବା ସହ ସତର୍କ ନଜର ରଖିବା ପାଇଁ ସେ ନୌସେନାକୁ ପରାମର୍ଶ ଦେଇଛନ୍ତି।