ରାୟପୁର,ଏଜେନ୍ସି: ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରଟି କ୍ରାଶ ଲ୍ୟାଣ୍ଡିଙ୍ଗ୍ କାରଣରୁ ଏଥିରେ ଥିବା ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଯାଇଛି । ମୃତ ୨ ପାଇଲଟ ହେଲେ ଗୋପାଳ କୃଷ୍ଣ ପଣ୍ଡା ଓ ଏପି ଶ୍ରୀବାସ୍ତବ। ଅଭ୍ୟାସ ସମୟରେ ବିମାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। କିନ୍ତୁ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।
ରାଜ୍ୟ ସରକାରଙ୍କ ଏହି ହେଲିକପ୍ଟରଟି କ୍ରାଶ କାରଣରୁ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ, ଟେନିଂ ସମୟରେ ହେଲିକପ୍ଟରଟି ଦୁର୍ଘଟଣାର ସାମ୍ନା କରିଥିଲା। ବିମାନ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ରାୟପୁର ବିମାନବନ୍ଦରରେ ରାଜ୍ୟ ହେଲିକପ୍ଟର କ୍ରାଶ ହେବାର ଦୁଃଖଦ ସୂଚନା ମିଳିଛି। ଏହି କ୍ରାଶ ଯୋଗୁଁ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ପାଇଲଟଙ୍କ ମୃତ୍ୟୁ ନେଇ ଶୋକ ଜଣାଇବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।