ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ। ଏହି ପରିପ୍ରେକ୍ଷୀରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନ‌ରେ କୁଆପଥର ବର୍ଷା ଅନୁମାନ କରାଯାଇଛି। ଏଥିସହ ବିଜୁଳି ଘଡଘଡି ସହ ଝଡ଼ ହେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ କୁଆପଥର ବର୍ଷା ହେବ। ଏହି ସମୟରେ ପବନର ବେଗ ମଧ୍ୟ ବଢ଼ିବ। ଘଣ୍ଟା ପ୍ରତି ୪୦/୫୦ କିମି ବେଗରେ ପବନ ବହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, ନୟାଗଡ଼, ଖୋର୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଦେବଗଡ଼ ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ସହ ବର୍ଷା ଲାଗି ରହିବ। ପବନର ବେଗ ୪୦/୫୦ କିମି ରହିବ। ସେହିପରି ୨୧ ତାରିଖ ସକାଳ ଯାଏ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ମାରିବା ସହ ଝଡ଼ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦/୪୦ କିମି ରହିବ। ୨୧ ତାରିଖ ସକାଳୁ ୨୨ ତାରିଖ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଞ୍ଜାମ ଖୋର୍ଧା ଓ ପୁରୀ ଆଦି ଜିଲ୍ଲାରେ ଝଡ଼ବର୍ଷା ହେବ ଓ ପବନର ବେଗ ଘଣ୍ଟାକୁ ୪୦/୫୦ କିମି ରହିବ। ଏହାପରେ ପବନର ବେଗ କମିବ କିନ୍ତୁ ୨୪ ତାରିଖ ସକାଳ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି।