ମୁମ୍ବାଇ,ଏଜେନ୍ସି: ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନୁଙ୍କ ସମସ୍ୟା ବଢ଼ି ଚାଲିଛି। ଏହି ମଧ୍ୟରେ ଆୟକର ବିଭାଗର ଏକ ଟିମ୍ ୧୧ ଘଣ୍ଟା ଧରି ଉଭୟଙ୍କୁ ପଚରାଉଚୁରା କରିଥିଲେ। ଗତକାଲି ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ପଚରାଉଚୁରା ଚାଲିଥିଲା। ଆଜି ମଧ୍ୟ ତଲାସି ଅଭିଯାନ ଜାରି ରହିବ। ଅନୁରାଗ-ତାପସୀଙ୍କ ଘର ବ୍ୟତୀତ ଆୟକର ବିଭାଗ ଫାଣ୍ଟମ୍ ଫିଲ୍ମ, କ୍ୱାନ୍, ଏକ୍ସାଇଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସମେତ ୪ଟି କମ୍ପାନୀ ଉପରେ ଚଢ଼ଉ କରିଛି।
ଜଣେ ଅଧିକାରୀଙ୍କ ଅନୁଯାୟୀ, ଅଫିସ୍ ଏବଂ କାରବାର ସହ ଜଡ଼ିତ ସମସ୍ତ ଡକ୍ୟୁମେଣ୍ଟ୍ ଡିଜିଟାଲ୍ ଫର୍ମରେ ଅଛି, ଯାହାକୁ ଯତ୍ନର ସହ ବ୍ୟାକଅପ୍ କରାଯାଉଛି। ଏହା ବ୍ୟତୀତ ଟିକସ ଫାଙ୍କିବା ମାମଲାରେ ଯଥାସମ୍ଭବ ପ୍ରମାଣ ସଂଗ୍ରହ କରିବାକୁ ଉଭୟଙ୍କର କର୍ମଚାରୀଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି। ଅନୁରାଗ କାଶ୍ୟପ, ବିକାଶ ବହଲ ଓ ମଧୁ ମଣ୍ଟେନାଙ୍କ ଘରେ ଫେଣ୍ଟମ ଫିଲ୍ମସ୍ ଟ୍ୟାକ୍ସ ଚୋରି ମାମଲାରେ ଛାପାମାରି ହୋଇଛି। ଏହି ୩ଜଣ ଫେଣ୍ଟମ ପ୍ରୋଡୋକ୍ସନ ହାଉସର ପ୍ରତିଷ୍ଠାତା ହୋଇଥିବାବେଳେ ଅନୁରାଗ କାଶ୍ୟପ ମାଲିକ। କିନ୍ତୁ ତାପସୀଙ୍କ ଘରେ କେଉଁ କାରଣରୁ ଛାପାମାରି ହୋଇଛି ତାହା ଜଣାପଡ଼ିନାହିଁ।
ଏନସିପି ନେତା ନବାବ ମଲିକ କହିଛନ୍ତି ଯେ ଗତ କିଛି ଦିନ ହେବ ଅନୁରାଗ କାଶ୍ୟପ ଏବଂ ତାପସୀ ପନୁ ମୋଦୀ ସରକାରଙ୍କ ନୀତି ବିରୋଧରେ କଥାବାର୍ତ୍ତା କରୁଥିଲେ, ସେମାନଙ୍କୁ ଦମନ କରିବା ପାଇଁ ସରକାର ଆୟକର ବିଭାଗର ସାହାରା ନେଇଛନ୍ତି। ଏଥି ସହ କଂଗ୍ରେସ ନେତା ଅଶୋକ ଚାଭାନ ମଧ୍ୟ ଏହାକୁ ପ୍ରତିଶୋଧ କାର୍ଯ୍ୟ ବୋଲି କହିଛନ୍ତି।