ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି। ଏଥିସହିତ ଆଗାମୀ ଶିକ୍ଷା ବର୍ଷ ୨୦୨୧ ଅପ୍ରେଲରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରୋଜେକ୍ଟ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ମୂଲ୍ୟାଙ୍କନ କରାଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ପରୀକ୍ଷା ହେବ ଓ ଯଥାଶୀଘ୍ର କ୍ଲାସ ମଧ୍ୟ ଆରମ୍ଭ ହେବ। ଶ୍ରେଣୀଗୃହରେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରାଯିବ। ନବମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସପ୍ତାହରେ ଥରେ କିମ୍ବା ୨ଥର ସ୍କୁଲ ଡକାଯିବ।
କୋଭିଡ ଯୋଗୁ ଯେତେ ଦିନ ପର୍ଯ୍ୟନ୍ତ ବେସରକାରୀ ସ୍କୁଲ ବନ୍ଦ ରହିଛି ସେମାନେ ଟ୍ୟୁସନ ଫି’ ଛାଡ଼ି ଆଉ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ। ଏହି ଆଦେଶକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି।