ହେରିଟେଜ୍ କରିଡରରେ ଝଲସିବ ଶ୍ରୀମନ୍ଦିର ଚାରିପାଖ

ପୁରୀ,ଏନ୍ଏନ୍ଏସ୍: ଅବଢ଼ା ଯୋଜନାରେ ଓଡ଼ିଶା ସରକାର ପୁରୀକୁ ଏକ ବିଶ୍ୱ ଶ୍ରେଣୀୟ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। କାର୍ଯ୍ୟକାରୀ ହେଉଥିବା ଯୋଜନାର ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଶ୍ରୀଜଗନ୍ନାଥ ହେରିଟେଜ୍ କରିଡ଼ର। ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ର ଏହି କରିଡ଼ର ନିର୍ମାଣ କରାଯିବ। ୭୫ମିଟର କରିଡ଼ର ପ୍ରକଳ୍ପ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭକ୍ତ ଓ ଯାତ୍ରୀଙ୍କ ପାଇଁ ମେଘନାଦ ପାଚେରୀ ଚତୁଃପାଶ୍ୱର୍ରେ ସ୍ୱଚ୍ଛନ୍ଦ ଯାତାୟାତର ବ୍ୟବସ୍ଥା। ଯଦ୍ୱାରା ଭକ୍ତମାନେ ସୁବିଧାରେ ଶ୍ରୀମନ୍ଦିର, ନୀଳଚକ୍ର ଓ ମେଘନାଦ ପାଚେରୀ ଦେଖିପାରିବେ।

ହେରିଟେଜ କରିଡ଼ର ୯ଟି ସ୍ତରରେ ବିଭକ୍ତ। ମନ୍ଦିର ଚତୁଃପାଶ୍ୱର୍ରେ ସବୁଜିମା ସୃଷ୍ଟି, ଅନ୍ତଃ ପ୍ରଦକ୍ଷିଣ ପଥ, ଲ୍ୟାଣ୍ଡସ୍କେପ୍ ଜୋନ୍, ବାହ୍ୟ ପ୍ରଦକ୍ଷିଣ ପଥ, ଜନସାଧାରଣଙ୍କ ପାଇଁ ବିଭିନ୍ନ ସୁବିଧା ଜୋନ, ସର୍ଭିସ ଲେନ୍, ସଟଲ କମ ଏମରଜେନ୍ସି ଲେନ୍, ମିକ୍ସ ଟ୍ରାଫିକ ଲେନ୍ ଓ ପଥଚାରୀଙ୍କ ପାଇଁ ଫୁଟପାଥ। ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ରେ ମେଘନାଦ ପାଚେରୀକୁ ଲାଗି ୭ମିଟର ଆୟତନରେ ଗ୍ରୀନ ବଫରଜୋନ୍ କରାଯିବ। ଏଥିମଧ୍ୟରୁ ୨ମିଟର ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରବେଶ ପାଇଁ ଉଦ୍ଧିଷ୍ଟ ଅବଶିଷ୍ଟ ୫ମିଟରରେ ୧ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରୀନ ଲ୍ୟାଣ୍ଡସ୍କେପ୍ ରହିବ। ୧୦ମିଟର ଅନ୍ତଃ ପ୍ରଦକ୍ଷିଣ ବର୍ଷସାରା ହେଉଥିବା ଠାକୁରଙ୍କ ବିଭିନ୍ନ ଉତ୍ସବ ଓ ସାଧାରଣ ଲୋକଙ୍କ ଶ୍ରୀମନ୍ଦିର ପରିକ୍ରମା ପାଇଁ ଉଦ୍ଦିଷ୍ଟ। ୧୪ମିଟର ଲ୍ୟାଣ୍ଡସ୍କେପ୍ ଜୋନରେ ଉଦ୍ୟାନ କରାଯାଇ ଜଗନ୍ନାଥ ସଂସ୍କୃତିରେ ବ୍ୟବହୃତ ସ୍ଥାନୀୟ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯିବ। ୮ମିଟର ବାହ୍ୟ ପ୍ରଦକ୍ଷିଣରେ ରହିବ ଯାତ୍ରୀଙ୍କ ପାଇଁ ପାଥୱେ। ଏହାକୁ ଉଭୟ ପାଶ୍ୱର୍ରୁ ବୃକ୍ଷଦ୍ୱାରା ଆଚ୍ଛାଦିତ କରାଯିବ। ୧୦ମିଟର ପବ୍ଲିକ୍ କନଭିନିଏନ୍ସ ଜୋନରେ ଉଚ୍ଚ ଉଚ୍ଚ ବୃକ୍ଷରୋପଣ କରାଯିବା ସହ ବିଶ୍ରାମ ଗୃହ, ପାନୀୟ ଜଳ ଉତ୍ସ, ସୂଚନା ଓ ଦାନ କିଓସ୍କ ତଥା ସେଲଟର ପାଭିଲିଅନ ରହିବ। ୫ମିଟର ସର୍ଭିସ ଲେନରେ କରିଡ଼ରର ରକ୍ଷଣାବେକ୍ଷଣ ପାଇଁ ସର୍ଭିସ ଯାନବାହନ ଚଳାଚଳ କରିବ।

ଯେକୌଣସି ଜରୁରୀ ଅବସ୍ଥାର ମୁକାବିଲା ଓ ବିପଦର ପରିଚାଳନା ପାଇଁ ରହିବ ୪.୫ ମିଟର ଓସାରର ସଟଲକମ ଏମରଜେନ୍ସି ଲେନ୍। ହେରିଟେଜ୍ କରିଡ଼ର ଚତୁଃପାଶ୍ୱର୍ରେ ଯାନବାହନ ଚଳାଚଳ ପାଇଁ ୭.୫ମିଟର ମିକ୍ସଡ ଟ୍ରାଫିକ ଲେନ୍ ରହିବ। ପାଶ୍ୱର୍ବର୍ତ୍ତୀ ସାହିମାନଙ୍କରୁ ଏଥିସହିତ ସଂଯୁକ୍ତ ହେବ ପ୍ରବେଶ ରାସ୍ତା। ମିକ୍ସଡ଼ ଟ୍ରାଫିକ ଲେନରେ ସୁବିଧାରେ ପଥଚାରୀଙ୍କ ଚଳାଚଳ ପାଇଁ ୭ମିଟର ଓସାରର ଫୁଟପାଥ ରହିବ। ଏଥିରେ ରହିବ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ପାଇଁ ପାର୍କିଂ, ୱେଷ୍ଟବିନ, ଷ୍ଟ୍ରିଟ ଫର୍ଣ୍ଣିଚର ଓ ପାନୀୟଜଳ। ହେରିଟେଜ କରିଡ଼ରର ପୂର୍ବ ପାଶ୍ୱର୍ରେ ରହିବ ବିସ୍ତୃତ ଖୋଲାସ୍ଥାନ। ଶ୍ରୀମନ୍ଦିରର ବିଭିନ୍ନ ଉତ୍ସବ ଓ ରଥଯାତ୍ରା ପାଇଁ ଏହା ବ୍ୟବହୃତ ହେବ। ଯାତ୍ରୀଙ୍କ ଦରକାରୀ ଆବଶ୍ୟକତା ପୂରଣ ପାଇଁ କ୍ୟୁ ମ୍ୟାନେଜମେଣ୍ଟ ଫ୍ୟାସଲିଟି ରହିବ। ଏକ ସଙ୍ଗେ ୬ହଜାର ବ୍ୟକ୍ତିଙ୍କ ପାଇଁ ଏହା କାର୍ଯ୍ୟ କରିବ। ଏଠାରେ ନିରାପତ୍ତା ଯାଞ୍ଚ କରାଯିବା ସହ ୪ହଜାର ଲୋକଙ୍କ ସାମାନ ପତ୍ର ରଖିବା ପାଇଁ କ୍ଲୋକ୍ ରୁମ ରହିବ। ଏଥିସହିତ ପାନୀୟ ଜଳ ଓ ଶୌଚାଗାର ଏବଂ ହସ୍ତ ଓ ପଦ ପ୍ରକ୍ଷାଳନ ବ୍ୟବସ୍ଥା ରହିବ। ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ରର ଦକ୍ଷିଣ-ପୂର୍ବ ପାଶ୍ୱର୍ରେ ଅଧ ଏକର ଜମିରେ ଏହା ନିର୍ମିତ ହେବ।

ହେରିଟେଜ୍ କରିଡରର ୭୫ମିଟର ଇଲାକାରେ ରହିବ ମିନି କ୍ଲୋକ ରୁମ, ସୂଚନା ଓ ଦାନ କିଓସ୍କ, ବିଶ୍ରାମ ସ୍ଥଳ, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ପୃଥକ ଶୌଚାଗାର, ସେବାୟତଙ୍କ ପାଇଁ ଶୌଚାଳୟ, ପୁଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ, ୧୦୦ଲୋକଙ୍କ ପାଇଁ ଭଜନ ମଣ୍ଡପ ଓ ୫୦୦ଲୋକଙ୍କ ପାଇଁ ସଂସ୍କୃତି ମଣ୍ଡପ। ଏହି ୭୫ମିଟର ପରିଧି ମଧ୍ୟରେ ଥିବା ମଠ ମନ୍ଦିରଗୁଡ଼ିକର ବିକାଶ ପ୍ରସ୍ତାବ ଅନୁମୋଦିତ ହୋଇଛି। କଳିଙ୍ଗ ଶୈଳୀର ସ୍ଥାପତ୍ୟକୁ ରଖି ସମସ୍ତ ମଠ ଓ ମନ୍ଦିରର ଉନ୍ନତୀକରଣ କରାଯାଉଛି।