ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯିବେ ରାଉରକେଲା : ପ୍ରାୟ ୧୭ ମନ୍ତ୍ରୀ, ୭୧ରୁ ଅଧିକ ବିଧାୟକ ସାମିଲ

ସୁନ୍ଦରଗଡ଼କୁ ୪୯୧୫ କୋଟିର ପ୍ରକଳ୍ପ ଭେଟି

ଭୁବନେଶ୍ୱର, ରାଉରକେଲା,ଏନ୍ଏନ୍ଏସ୍: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ରାଉରକେଲା ଗସ୍ତରେ ଯିବେ। ଏହି ଅବସରରେ ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ରାଉରକେଲାରେ ଆୟୋଜିତ ବିଶାଳ ସମାବେଶରେ ସେ ଉଦବୋଧନ ଦେବେ। ତେଣୁ ଏହାକୁ ସଫଳ କରିବ ପାଇଁ ପ୍ରାୟ ୧୭ ମନ୍ତ୍ରୀ ଓ ୭୧ରୁ ଅଧିକ ବିଧାୟକ ସୁନ୍ଦରଗଡ଼ରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ଜିଲ୍ଲାର ମୁଖ୍ୟରାସ୍ତା ଓ ଗଳିକନ୍ଦିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ଛାଇ ହୋଇଯାଇଛି। ସବୁଜରଙ୍ଗରେ ସଜେଇ ହୋଇଯାଇଛି ପୁରା ଜିଲ୍ଲା।
କଳାହାଣ୍ଡି ସମାବେଶ ପରେ ରାଉରକେଲା ହେଉଛି ନବୀନଙ୍କର ଦ୍ୱିତୀୟ ମେଗା ସମାବେଶ୍। ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ତାହା ସ୍ପଷ୍ଟ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବହୁଚର୍ଚ୍ଚିତ ରାଉରକେଲାର ବିପିୟୁଟି କ୍ୟାମ୍ପସରେ ହୋଇଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିବେ। ୨୦୨୩ ହକି ବିଶ୍ୱକପ୍ ଏଠାରେ ଖେଳାଯିବ। ୨୦୧୮ରେ ପୁରୁଷ ହକି ବିଶ୍ୱକପ୍ର ସଫଳତାର ସହ ଆୟୋଜନ ପରେ ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍’ ଆୟୋଜନ କରିବାକୁ ଓଡ଼ିଶା ପୁଣିଥରେ ସୁଯୋଗ ପାଇଛି। ନୂତନ ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ। ୧୫ ଏକର ଜାଗାରେ ନିର୍ମାଣ ହେଉଛି ବିଶ୍ୱସ୍ତରୀୟ ଷ୍ଟାଡିୟମ। ଏଥିରେ ପ୍ରାୟ ୨୦ହଜାର ଲୋକ ଏକାସାଙ୍ଗେ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ ଏବଂ ଅନ୍ୟାନ୍ୟ ଅନୁଭୂତି ପ୍ରଦାନ କରିବ। ଏହା ହକି କ୍ଷେତ୍ରରେ ବିଶ୍ୱର ସର୍ବୋତ୍ତମ ସ୍ଥାନ ଭାବେ ବିବେଚିତ ହେବ। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାରେ ଶେଷ ହୋଇଥିବା ୧୭ଟି ବ୍ଲକ୍ରେ ସିନ୍ଥେଟିକ୍ ଟର୍ଫକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ। ଏଥିସହ ଅନ୍ୟ କିଛି ଷ୍ଟାଡ଼ିୟମ ନିର୍ମାଣ, ସହରର ଉନ୍ନତିକରଣ, ଫ୍ଲଡଲାଇଟ୍ ବ୍ୟବସ୍ଥା ଓ ଗମନାଗମନ ଆଦି ପ୍ରକଳ୍ପ ପାଇଁ ଶ୍ରୀ ପଟ୍ଟନାୟକ ଶିଳାନ୍ୟାସ କରିବେ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେ ମଧ୍ୟ ଜିଲ୍ଲାବାସୀଙ୍କୁ ଭେଟିବା ସହ ସୁନ୍ଦରଗଡ଼ ଜିଲ୍ଲାର ବିକାଶଧାରାକୁ କିପରି ତ୍ୱରାନ୍ୱିତ କରାଯାଇପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରିବେ। ମୋଟ୍ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ମଧ୍ୟରେ ୧୬୧୧ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରୁଥିବାବେଳେ ୧୦୬୦ କୋଟି ଟଙ୍କାର ରାସ୍ତାଘାଟ, ୩୬୬ କୋଟି ଟଙ୍କାର ଶିକ୍ଷା, ୨୫୦ କୋଟି ଟଙ୍କାର ପରିମଳ, ୧୧୧ କୋଟି ଟଙ୍କାର ସ୍ୱାସ୍ଥ୍ୟସେବା, ୩୨୦ କୋଟି ଟଙ୍କାର ଜଳସେଚନ, ୨୧୬ କୋଟି ଟଙ୍କାର ଜୀବିକା ବିକାଶ, ୪୭୧ କୋଟି ଟଙ୍କାର ସ୍ମାର୍ଟ ସିଟି ରାଉରକେଲା, ୧୨୦ କୋଟି ଟଙ୍କାର କ୍ରିଡ଼ା ବିକାଶ, ୧୩୫ କୋଟି ଟଙ୍କାର ମହିଳା ଓ ଶିଶୁ ବିକାଶ, ୬୭ କୋଟି ଟଙ୍କାର ଭିତ୍ତିଭୂମି ବିକାଶ, ୩୮ କୋଟି ଟଙ୍କାର ବିଦ୍ୟୁତ ଶକ୍ତି ଯୋଗାଣ, ୧୫ କୋଟି ଟଙ୍କାର ଦକ୍ଷତା ବିକାଶ, ୧୨ କୋଟି ଟଙ୍କାର ପରିବେଶ ସୁରକ୍ଷା ପାଇଁ ଅର୍ଥ ବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ଏସବୁ ପ୍ରକଳ୍ପଗୁଡ଼ିକୁ ଶୁଭାରମ୍ଭ କରିବେ। କୋଇଡ଼ା ବ୍ଲକ୍ରେ ଏଥିରୁ ଅଧିକାଂଶ ପ୍ରକଳ୍ପ ଥିବା ଜଣାପଡ଼ିଛି। ସେଥିପାଇଁ ବିଜେଡି ନେତା ଓ କର୍ମୀମାନେ ବେଶ୍ ଉତ୍ସାହିତ। ମନ୍ତ୍ରୀମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକୁ ସମୀକ୍ଷା କରୁଥିଲାବେଳେ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବାକୁ ଗାଁକୁ ଗାଁ ବୁଲି ଲୋକଙ୍କୁ ଅବଗତ କରୁଥିବା ଦେଖାଯାଇଛି। ସେଥିପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।