ଓ୍ୱାଶିଂଟନ,ଏଜେନ୍ସି: କୃଷି ଆଇନକୁ ବିରୋଧ କରି ଆମେରିକାର ୱାଶିଂଟନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଭାରତୀୟ ଦୂତାବାସ ଆଗରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଖଲିସ୍ତାନ ପତାକା ଘୋଡାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ଆମେରିକା ଦୂତାବାସ ଓ ଆମେରିକା ପ୍ରଶାସନ ନିକଟରେ ପ୍ରତିବାଦ କରିଛି ଭାରତ। ଏହି ଘଟଣାର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରିଛି।
ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ୍ କରି କହିଛି ଯେ ଦୂତାବାସ ନିକଟସ୍ଥ ମହାତ୍ମା ଗାନ୍ଧୀ ମେମୋରିଆଲ ପ୍ଲାଜାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଖଲିସ୍ତାନୀଙ୍କ ଦ୍ୱାରା ନଷ୍ଟ କରାଯାଇଛି। ଏହି ଘଟଣାକୁ ଦୂତାବାସ ଦୃଢ଼ ନିନ୍ଦା କରୁଛି। ଘଟଣାର ତ୍ୱରିତ ତଦନ୍ତ ସହିତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରୁଛି।
ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ମଧ୍ୟ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ଏକ ପ୍ରଦର୍ଶନରେ ‘ଖଲିସ୍ତାନ ପତାକା’ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀମାନେ ଭାରତ ବିରୋଧୀ ତଥା କୃଷକ ସପକ୍ଷରେ ସ୍ଲୋଗାନ ଦେଇଥିଲେ। କେବଳ ଏତିକି ନୁହେଁ, କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଜୁନରେ ୱାଶିଂଟନରେ ଏକ ପ୍ରଦର୍ଶନ ସମୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ନଷ୍ଟ କରିଦେଇଥିଲେ ଦୁର୍ବୃତ୍ତ।