ଯୋଗୀଙ୍କୁ ଧର୍ମର ପାଠ ପଢ଼ାଇଲେ ପ୍ରିୟଙ୍କା

ଉତ୍ତରପ୍ରଦେଶ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ଦୃଢ଼ ବିରୋଧ କରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆନ୍ଦୋଳନକୁ ଓହ୍ଲାଇବା ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରି ତାଙ୍କ ଉପରେ ବର୍ଷିଛନ୍ତି। ସେ ଲକ୍ଷୌରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିଶୋଧ ନେବେ ବୋଲି କହିବା ଏହା ପ୍ରଥମ ଘଟଣା ବୋଲି ମୁଁ ଭାବୁଛି। ଏ ସମ୍ପର୍କରେ ପ୍ରିୟଙ୍କା ଆହୁରି କହିଛନ୍ତି, ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ ହେଉଥିବା ନିରୀହ ଲୋକଙ୍କୁ ରାଜ୍ୟ ପୁଲିସ ଓ ପ୍ରଶାସନ ଟାର୍ଗେଟ୍ କରିଛି।

ବିଜନୌରରେ ଏଭଳି ଏକ ପରିବାରକୁ ମୁଁ ଭେଟିବାକୁ ଯାଇଥିଲି। ତାଙ୍କର ୨୧ ବର୍ଷର ପୁଅ ସୁଲେମନ ଛୁଟିରେ ଘରକୁ ଫେରିଥିଲେ। ସେ ସ୍ଥାନୀୟ ମସଜିଦ୍ ନମାଜ ପାଠ ପାଇଁ ଯାଇଥିଲେ। ହଠାତ ଖବର ପହଞ୍ଚଲା ଯେ, ତାଙ୍କ ଉପରେ ପୁଲିସ ଗୁଳି ଚଳାଇଛି। ଉଲ୍ଲେଖଯୋଗ୍ୟ ଗତ ଡିସେମ୍ବର ୨୦ରେ ସୁଲେମନ ପୁଲିସ ଗୁଳିରେ ନିହତ ହୋଇଥିଲେ। ତାଙ୍କୁ ପୁଲିସ ଜାଣିଜାଣି ମାରିଦେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ପ୍ରଥମେ ପୁଲିସ ଏହି ଘଟଣାକୁ ଅସ୍ୱୀକାର କରିଆସୁଥିଲାବେଳେ ଶେଷରେ ବାଧ୍ୟ ହୋଇ ସ୍ୱୀକାର କରିଛି। ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। କିନ୍ତୁ କେତେକ ଆନ୍ଦୋଳନକାରୀ ଆତ୍ମରକ୍ଷା ପାଇଁ ପୁଲିସ ଉପରକୁ ଗୁଳି ଚଳାଇବାରୁ ସେମାନଙ୍କ ଉପରେ ପୁଲିସ ପାଲଟା ଗୁଳି ଚଳାଇଥିଲା ବୋଲି କୁହାଯାଉଛି।

ସିଏଏ ବିରୋଧୀ ଆନ୍ଦୋଳନ ଘଟଣାରେ ରାଜ୍ୟରେ ୫ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ସରକାର ବିନା ତଦନ୍ତରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ପ୍ରିୟଙ୍କା କହିଛନ୍ତି, ଦେଶର ଆତ୍ମାରେ ହିଂସାର ସ୍ଥାନ ନାହିଁ। କୃଷ୍ଣ ଓ ରାମ ଏହି ଶିକ୍ଷା ଦେଇଛନ୍ତି। ଗୈରିକ ବସନଧାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧର୍ମକୁ ଅନୁସରଣ କରନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି।