ଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିଅନ୍‌ଶିପ୍‌, ସ୍ନାଚ୍‌ରେ ପ୍ରିନ୍ସ ମଲିକ୍‌ଙ୍କ ରେକର୍ଡ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ୱେଟ୍‌ଲିଫ୍‌ଟିଂ ମହାସଂଘ (ଆଇଡବ୍‌ଲ୍ୟୁଏଲ୍‌ଏଫ୍‌) ପକ୍ଷରୁ ମିଳିତ ଭାବେ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିଅନସିପ୍‌ରେ ରବିବାର ଉତ୍ତରପ୍ରଦେଶର ପ୍ରିନ୍ସ ମଲିକ ୮୯ କିଗ୍ରା ପୁରୁଷ ଜୁନିୟର ସ୍ନାଚ୍‌ରେ ୧୩୮ କିଗ୍ରା ଓଜନ ଉଠାଇ ଜାତୀୟ ରେକର୍ଡ ପ୍ରତିଷ୍ଠା କରଛନ୍ତି। ପୂର୍ବରୁ ଏହି ବର୍ଗରେ ୧୩୫ କିଗ୍ରା ରେକର୍ଡ ଥିବା ବେଳେ ରବିବାର ପ୍ରିନ୍ସ ଏହାକୁ ଭାଙ୍ଗିଛନ୍ତି। ସେ ଏହି ଓଜନ ବର୍ଗରେ କ୍ଲିନ ଆଣ୍ଡ ଜର୍କରେ ୧୫୩ କିଗ୍ରା ଏହିପରି ସର୍ବମୋଟ ୨୯୧ କିଗ୍ରା ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଆନ୍ଧ୍ର ପ୍ରଦେଶର ଏଏସଆରକେ ଯାଦବ ମୋଟ ୨୯୨ କିଗ୍ରା ଉତ୍ତୋଳନ ପୂର୍ବକ ସ୍ୱର୍ଣ୍ଣ ଓ ମଧ୍ୟପ୍ରଦେଶର ହିମାଂଶୁ ଥାପ୍ପା ମୋଟ ୧୮୦ କିଗ୍ରା ଉତ୍ତୋଳନ ସହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସେହିପରି ୮୯ କିଗ୍ରା ସିନିୟର ପୁରୁଷ ବର୍ଗରେ ଉତ୍ତର ପ୍ରଦେଶର ରାମ କରନ୍ ପ୍ରଜାପତି ମୋଟ ୩୧୭ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚଣ୍ଡିଗଡ଼ର ଗୌରବ ମୋଟ ୩୧୬ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଆରଏସପିବିର ହର୍ଷଦ ୱାଡେକର ମୋଟ ୩୧୫ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି। ଆହୁରି ୮୯ କିଗ୍ରା ଆନ୍ତଃରାଜ୍ୟ ସିନିୟର ପୁରୁଷ ବର୍ଗରେ ଉତ୍ତର ପ୍ରଦେଶର ରାମ କରନ୍ ମୋଟ ୩୧୭ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ, ଚଣ୍ଡିଗଡ଼ର ଗୌରବ ମୋଟ ୩୧୬ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ପୁଡୁଚେରୀର ୟୁ. ଶିବପ୍ରକାଶ ୩୦୪ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ଜିତିଛନ୍ତି।

ଏହାଛଡ଼ା ୮୯ କିଗ୍ରା ୟୁଥ ପୁରୁଷ ବର୍ଗରେ ଆସାମର ସୁଦିତ୍ୟ ବରୁଆ ମୋଟ ୨୭୫ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆନ୍ଧ୍ର ପ୍ରଦେଶର ଏସକେ ଲାଲ ବଶୀର ମୋଟ ୨୭୩ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଉତ୍ତର ପ୍ରଦେଶର ବେଦାନ୍ତ ଚୌଧୁରୀ ୨୭୩ କିଗ୍ରା ଉତ୍ତୋଳନ ପୂର୍ବକ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେହିପରି ସିନିୟର ମହିଳା ୭୧ କିଗ୍ରା ବର୍ଗରେ ପଞ୍ଜାବର ହରଜିନ୍ଦର କୌର୍ ମୋଟ ୨୦୮ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ, ମିଜୋରାମର ଲାଲଛନହିମି ମୋଟ ୨୦୩ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ପଞ୍ଜାବର ଅମନଦୀପ କୌର ୧୯୦ ଉତ୍ତୋଳନ ପୂର୍ବକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଆହୁରି ଜୁନିୟର ମହିଳା ୭୧ କିଗ୍ରା ବର୍ଗରେ ରାଜସ୍ଥାନର ଅରମନଦୀପ କୌର ମୋଟ ୧୮୭ କିଗ୍ରା ଉତ୍ତୋଳନ କରି ସ୍ୱର୍ଣ୍ଣ, ତାମିଲନାଡୁର ୱାଇ ପୂର୍ଣ୍ଣଶ୍ରୀ ମୋଟ ୧୮୭ କିଗ୍ରା ଉତ୍ତୋଳନ ପୂର୍ବକ ରୌପ୍ୟ ଓ ଉତ୍ତର ପ୍ରଦେଶର ସୃଷ୍ଟି ମୋଟ ୧୮୩ କିଗ୍ରା ଉତ୍ତୋଳନ ସହ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏହାଛଡ଼ା ୟୁଥ୍ ମହିଳା ୭୧ କିଗ୍ରା ବର୍ଗରେ ହରିଆଣାର ସଞ୍ଜନା ମୋଟ ମୋଟ ୧୬୬ କିଗ୍ରା ଉତ୍ତୋଳନ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁଡୁଚେରୀର ଏସ୍ ରିତିକା ମୋଟ ୧୫୦ କିଗ୍ରା ଉତ୍ତୋଳନ କରି ରୌପ୍ୟ ଓ ଆର. ହାରିଣି ମୋଟ ୧୪୯ କିଗ୍ରା ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।