ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଃଖ ପ୍ରକାଶ

ବାଲେଶ୍ବର/ଭୁବନେଶ୍ବର/ଶାଲିମାର: ବାଲେଶ୍ବର ବାହାନଗା ‌ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ (୧୨୮୪୧-ଅପ) ଲାଇନଚ୍ୟୁତ ଘଟଣା । ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତାହତ ଯାତ୍ରୀଙ୍କ ପରିବାରକୁ ଜଣାଇଲେ ସମବେଦନା । ଆହତ ଯାତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୋଦି ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ‘‘ଓଡିଶାରେ ଟ୍ରେନ ଦୁର୍ଘଟଣାକୁ ନେଇ ମୁଁ ଚିନ୍ତିତ । ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା । ଆହତ ଯାତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ’’ ସେହିପରି ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହୋଇଥିବା ମୋଦୀ କହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରିୟ ପରିଜନଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଆହତକଙ୍କ ଆରୋଗ୍ୟ କାମନା କରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନକର ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରିୟ ପରିଜନଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଆହତକଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦାନ ଜଣାଇଛନ୍ତି । ଆହତକଙ୍କ ଆରୋଗ୍ୟ କାମନା କରିଛନ୍ତି । ଏନଡିଆରଏଫ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଜାରି ରଖିବା ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଆଶ୍ବାସନ ଦେଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆରସିଙ୍କ କାର୍ଯ୍ୟାଳୟକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ସମସ୍ତ ପ୍ରକାରର ସହାୟତ ୟୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ଯିବେ । ଏତତ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଆହତ ଯାତ୍ରୀଙ୍କ ସହାୟତା ଓ ଉଦ୍ଧାର ପାଇଁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ବାଲେଶ୍ବର ଓଡିଶାରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ଦୁଃଖ ଦାୟକ ଘଟଣା । ଆମର ଯାତ୍ରୀ ଏଥିରେ ଫସି ରହିଛନ୍ତି । ଆମ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆମେ ଓଡିଶା ସରକାର ଓ ଦକ୍ଷିଣ ରେଳବାଇ ସହ ନିରନ୍ତର ଯୋଗାଯୋଗ ରଖି କାମ କରୁଛୁ । ଆମର ଆହତ ଯାତ୍ରୀଙ୍କ ସହାୟତା ପାଇଁ ଆମେ ହେଲ୍ପ ଲାଇନ ନମ୍ବର ୦୩୩-୨୨୧୪୩୫୨୬/୨୨୫୩୫୧୮୫ ଜାରି କରିଛୁ ।