ନୂଆଦିଲ୍ଲୀ,ଏଜେନ୍ସି: କରୋନା କଟକଣା ମଧ୍ୟରେ ସଂସଦରେ ଆଜି ବିଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ମହାମାରୀରେ ଜୀବନ ହରାଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସଂସଦର ୬ ଜଣ ସଦସ୍ୟ ଓ ଅନ୍ୟ ମୃତକମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କି, ମୁଁ ସନ୍ତୁଷ୍ଟ ଯେ ମୋ ସରକାରଙ୍କ ଠିକ ସମୟରେ ନିଷ୍ପତ୍ତି ହେତୁ ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନ ବଞ୍ଚିଯାଇଛି। ଆଜି, ନୂତନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ସକ୍ରିୟ ରୋଗୀଙ୍କ ଠାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ ରହିଛି। କରୋନା କାଳରେ ଯେପରି କେହି ଭୋକିଲା ନ ରହିବେ ସେଥିପାଇଁ ସରକାର ଆର୍ଥିକ ପ୍ୟାକେଜର ଘୋଷଣା ମଧ୍ୟ କରିଥିଲେ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮ ମାସ ପର୍ଯ୍ୟନ୍ତ ୫ କିଲୋ ଲେଖାଏଁ ଚାଉଳ ୮୦ କୋଟି ଲୋକଙ୍କୁ ଦିଆଯାଇଛି। ଜନଧନ ଖାତାରେ ଗରିବ ମହିଳାଙ୍କ ଖାତାକୁ ୩୧ ହଜାର କୋଟି ଯାଇଛି। କରୋନା ସମୟରେ ଉଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ପ୍ରଦାନ କରାଯାଇଥିଲା।
ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶକୁ ଲାଗୁ କରି ମୋ ସରକାର ଏମଏସପି ମୂଲ୍ୟ ଦେଢ଼ ଗୁଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୋ ସରକାର କେବଳ ଏମଏସପିରେ ରେକର୍ଡ ପରିମାଣ କ୍ରୟ କରୁନାହାନ୍ତି, ବରଂ କ୍ରୟ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରୁଛି।
ଏଥିସହ ରାଷ୍ଟ୍ରପତି କୋବିନ୍ଦ କୃଷି ବିଲ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି କି, ଅନେକ ବିଚାରବିମର୍ଶ ପରେ ସଂସଦରେ ୩ଟି କୃଷି ବିଲ୍ ପାସ୍ ହୋଇଛି। ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ। କୃଷି ଆଇନକୁ ନେଇ ସୃଷ୍ଟି ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି। ତେବେ ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ।
୨୦୧୩-୧୪ ମସିହାରେ, ଯେଉଁଠାରେ କେବଳ ୪୨ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଥିଲା, ଆଜି ୫୬ ଲକ୍ଷ ହେକ୍ଟରରୁ ଅଧିକ ଜମି ମାଇକ୍ରୋ ଜଳସେଚନ ବ୍ୟବସ୍ଥା ସହିତ ଯୋଡି ହୋଇଛି।
୨୦୧୪ ମସିହାରେ ୨୩୪ ମିଲିୟନ ଟନ ଖାଦ୍ୟ ଉତ୍ପାଦନ ହେଉଥିଲା, କିନ୍ତୁ ଏବେ ଦେଶରେ ଖାଦ୍ୟ ଉତ୍ପାଦନର ପରିମାଣ ୨୯୬ ମିଲିୟନ ଟନକୁ ବୃଦ୍ଧି ପାଇଛି।
ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି। ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ମେଡିକାଲ କଲେଜ ବଢ଼ିବା ଜରୁରୀ ଥିଲା। ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨ କଲେଜ ଅଛି। ଏହି ମଧ୍ୟରେ ଦେଶରେ ଆଉ ୨୨ ନୂତନ ଏମ୍ସ ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି।
ବର୍ତ୍ତମାନ ଭାରତରେ କରୋନା ଟିକାକରଣ ଆରମ୍ଭ ହୋଇଛି। ଭାରତ ପ୍ରସ୍ତୁତ ୨ଟି ଟକା ଭାରତୀୟ ଲୋକଙ୍କୁ ଦିଆଯିବା ସହ ଅନ୍ୟ ଦେଶକୁ ମଧ୍ୟ ରପ୍ତାନି ହେଉଛି। ଫଳରେ ଭାରତ ବେଶ ପ୍ରଶଂସା ପାଉଛି।