ନୂଆଦିଲ୍ଲୀ,ଏଜେନ୍ସି: ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିିସ ଦୀପଙ୍କର ଦତ୍ତ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଛନ୍ତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଥିବା ନ୍ୟାୟିକ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି (ସୋମବାର) ୫୭ ବର୍ଷୀୟ ଜଷ୍ଟିିସ ଦୀପଙ୍କର ଦତ୍ତ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ଟ୍ବିଟ କରି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି,‘‘ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ମୁଁ ତାଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।
ସୂଚନାଅନୁସାରେ ଚଳିତବର୍ଷ ସେପ୍ଟେମ୍ବର ୨୬ରେ ତତକାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତଙ୍କ ନେତୃତ୍ବଧୀନ ସୁପ୍ରିମକୋର୍ଟ କଲେଜିୟନ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ କରିଥିଲେ । ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ । ୨୦୩୦ ଫେବୃଆରୀ ୮ ଯାଏ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ କାର୍ଯ୍ୟକାଳ ରହିବ ।
୧୯୬୫ ମସିହା ଫେବୃଆରୀରେ ଜନ୍ମ ଗ୍ରହଣ କରିଥଲେ ଜଷ୍ଟିସ ଦୀପଙ୍କର ଦତ୍ତ । ତାଙ୍କ ପିତା ସଳୀଲ କୁମାର ଦତ୍ତ କୋଲକାତା ହାଇକୋର୍ଟର ବିଚାରପତିଥିଲେ । ୧୯୮୯ରେ କୋଲକାତା ୟୁନିଭରସିଟିକୁ ଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ ଜଷ୍ଟିସ ଦୀପଙ୍କର ଦତ୍ତ । ୧୯୮୯ ନଭେମ୍ବର ୧୬ରେ ଆଡଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୨ ମଇ ୧୬ରୁ ୨୦୦୪ ଜାନୁଆରୀ ୧୬ ଯାଏଁ ଜୁନିୟର ଷ୍ଟାଣ୍ଡିଂ କାଉନସିଲ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ୨୦୦୬ରେ କୋଲକାତା ହାଇକୋର୍ଟରେ ବିଚାରପତି ହୋଇଥିଲେ । ଏହାପରେ ୨୦୨୦ରେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ହୋଇଥିଲେ ।