ଭୁବନେଶ୍ୱର,ଏନ୍ଏନ୍ଏସ୍: ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ସରକାରୀ ଡାକ୍ତରଖାନାରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ସେହିପରି ଟିକାର ପ୍ରଥମ ଡୋଜ ନେବା ପରେ ଯଦି କେହି କରୋନା ସଂକ୍ରମିତ ହୋଇଥାଏ ସେ ମଧ୍ୟ ଦ୍ୱିତୀୟ ଡେଜ୍ ନେଇପାରିବେ। ଯାହା ଫଳରେ ଶରୀରରେ ଇମ୍ୟୁନିଟି ବଢ଼ିବା ସହିତ ମୃତ୍ୟୁ ହାର ମଧ୍ୟ କମ ରହିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ପୂର୍ବ ଟିକାକରଣରେ ସ୍ପଟ ପଞ୍ଜୀକରଣ ହେଉଥିବା ବେଳେ ଏଥିରେ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। କୋଭିଡ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିବା ପରେ ଟିକା ନେଇପାରିବେ। କେଉଁଠି ଏବଂ କେତେବେଳେ ଟିକା ନେବେ ସେ ନେଇ ପଞ୍ଜୀକରଣ ପରେ ମେସେଜ ଦ୍ୱାରା ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଦେଶରେ ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ଏଥିରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବ।