ଭିଜିଲାନ୍ସ ହାତରେ ପ୍ରସନ୍ନଙ୍କ ଡାଏରୀ, ସ୍କାନରରେ ଅଫିସରଙ୍କ ହାଇପ୍ରୋଫାଇଲ ଲିଙ୍କ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋଲୁଛି ଗିରଫ ପ୍ରସନ୍ନ ବେହେରାଙ୍କ ଡାଏରୀ ଗୁମର। ଡାଏରୀରେ ରହିଛି କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ନାଁ। ଏପରିକି ଡାଏରୀରେ ସେଭଳି କିଛି ଅଫିସର ରହିଛନ୍ତି ଯିଏକି ପ୍ରସନ୍ନ ପଛରେ ଥିଲେ ମାଷ୍ଟର ପ୍ଲେୟାର। ଯାହାଙ୍କ ଇସାରାରେ ପ୍ରସନ୍ନ ଚଲାଇଥିଲେ କଳା କାରବାର। ପ୍ରସନ୍ନ ଡ୍ୟୁଟି କରୁନଥିଲେ ବି ଛୁଟି ଅନୁମୋଦନ ପାଇଁ ସେ ମସୁଧା କରୁଥିଲେ। କିଛି ଅଫିସରଙ୍କ ପାଇଁ କଲେକ୍ସନର ଏଜେଣ୍ଟ ମଧ୍ୟ ସାଜିଥିଲେ। ସେହି ଟଙ୍କାରୁ ହିଁ ପ୍ରସନ୍ନ ଚଳାଇଥିଲେ ନିଜ ବ୍ୟବସାୟ । ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା ବଡ ବଡ ଅଫିସରଙ୍କ ପାଇଁ କଳା ସାମ୍ରାଜ୍ୟ ସମ୍ଭାଳୁଥିବା ଜଣାପଡିଛି।

ଭିଜିଲାନ୍ସ ପ୍ରସନ୍ନଙ୍କ ଡାଏରୀ ଖୋଲିବା ପରେ ସେହି ଡାଏରୀରେ ଥିବା ନାଁଙ୍କୁ ନେଇ ହରଡ଼ଘଣାରେ ପଡିଛନ୍ତି କିଛି ଅଫିସର। ସମ୍ପୃକ୍ତ ଅଫିସର ଡ୍ୟୁଟିରେ ଥିବା ସତ୍ତ୍ୱେ ପ୍ରସନ୍ନଙ୍କୁ ଏଭଳି କାମରେ ଲଗାଇ ନିଜର ଫାଇଦା ପାଉଥିବା କୁହାଯାଉଛି। ପ୍ରସନ୍ନଙ୍କ ନାଁ ବାର୍ ଲିଙ୍କରେ ସାମ୍ନାକୁ ଆସିବା ପରେ ବଦନାମ ଭୟରେ କିଛି ଉପରିସ୍ଥ ଅଧିକାରୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ପୂରା ଡିପାର୍ଟମେଣ୍ଟର କିଛି ଅଫିସର ପ୍ରସନ୍ନଙ୍କ ଲିଙ୍କରେ ରହିଛନ୍ତି ବୋଲି ଡାଏରୀ ସାମ୍ନାକୁ ଆସିବା ପରେ ଜଣାପଡିଛି।