ବିଜେଡିରେ ମିଶିଲେ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଆଜି ବିଜେଡିରେ ମିଶିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ ଏବଂ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ଶଙ୍ଖ ଫୁଙ୍କିଛନ୍ତି ଡ. ମାଝୀ। ତାଙ୍କର ଶହ ଶହ ସମର୍ଥକ ମଧ୍ୟ ଏହି ଅବସରରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଡ. ମାଝୀ କହିଛନ୍ତି ଯେ ଆଜି ମୋ ପାଇଁ ଏକ ସ୍ମୃତିର ଦିନ। ତଳସରା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ଥିଲା। ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନଥିଲା। ଏହା ମୋ ସହଯୋଗୀମାନଙ୍କ ନିଷ୍ପତ୍ତି ଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡିରେ ଯୋଗ ଦେଇଛୁ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲପାଏ। ସେ ବି ମୋତେ ଭଲ ପାଆନ୍ତି। ଆମେ ସମସ୍ତେ ଏଣିକି ବିଜେଡିରେ ଶୃଙ୍ଖଳିତ ହୋଇ କାମ କରିବୁ। ଆଦିବାସୀଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟର ବିକାଶ ନେଇ କାମ କରିବୁ। କଂଗ୍ରେସ ଏକ ମୁଣ୍ଡବିହୀନ ଦଳ ହୋଇଯାଇଛି। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଛି। ସେହି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ନୁହେଁ।

ପ୍ରକାଶ ଯେ ଡିସେମ୍ବର ୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେବା ସମ୍ପର୍କରେ ଡ. ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ପରେ ତାଙ୍କୁ ଦଳର ବହିଷ୍କାର କରିଥିଲା ପ୍ରଦେଶ କଂଗ୍ରେସ। ତଳସରା ନିର୍ବାଚନମଣ୍ଡଳୀରୁ ସେ କଂଗ୍ରେସ ଟିକେଟରେ ୩ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୬ ଉପ-ନିର୍ବାଚନ ଏବଂ ପରେ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। ଅନ୍ୟପଟେ ଶ୍ରୀ ମାଝୀଙ୍କ ଯୋଗଦାନ ପରେ ବିଜେଡି ସୁନ୍ଦରଗଡ଼ ଜିଲ୍ଲାରେ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଏହି ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ କହିଛନ୍ତି।