ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି: ଏମ୍ସ ନିର୍ଦ୍ଦେଶିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଭେଣ୍ଟିଲେଟର ସପୋର୍ଟରେ ରହିଥିବା ବେଳେ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି  ଶୁକ୍ରବାର ଜଣାଇଛନ୍ତି। ଶ୍ରୀ ନାଏକଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ଧ୍ୟାନ ରଖୁଛନ୍ତି। ଯେଉଁଥିରେ ଏମ୍ସର ଦୁଇ ଡାକ୍ତର ଏବଂ କଟକ ଏସସିବି ମେଡ଼ିକାଲର ଦୁଇଜଣ ଡାକ୍ତର ରହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀ ନାଏକ ଏପ୍ରିଲ ୨୬ ରୁ ଏମ୍ସ ଆଇସିୟୁରେ ଅଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କର ଚିକିତ୍ସାକୁ ନେଇ ଅହରହ ଏମ୍ସ କର୍ତ୍ତୃପକ୍ଷଙ୍କ ଯୋଗାଯୋଗରେ ଅଛନ୍ତି।